ନୂଆଗାଁ : (ଶ୍ରେୟ ତରଙ୍ଗ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସଭାଗୃହ ରେ ନବମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବ୍ଲକ ଅଧ୍ୟକ୍ଷା , ବି ଡି ଓ, କନ୍ଧମାଳ ସାଂସଦଙ୍କ ପ୍ରତିନିଧି, ବ୍ଲକ ଉପାଧ୍ୟକ୍ଷ , ୧୭ ନମ୍ୱର୍ ଜୋନ ଜିଲ୍ଲା ପରିଷଦ ସଭ୍ୟା, ସମସ୍ତ ବିଭାଗର ଅଧିକାରୀ ଓ ସମସ୍ତ ପଞ୍ଚାୟତ ର ସମିତି ସଭ୍ୟ ଓ ସରପଞ୍ଚ ମାନେ ଉପସ୍ଥିତ ଥିଲେ ।

ବୈଠକ ଆରମ୍ଭରୁ ସାଂସଦଙ୍କ ପ୍ରତିନିଧିଙ୍କ ରାଜନୈତିକ ମନ୍ତବ୍ୟ ପାଇଁ ଜନ ପ୍ରତିନିଧି ମାନଙ୍କ ସହ କଥା କଟା କଟି ହୋଇଥିଲା । ବିଧାୟକ ଏହାର ବିରୋଧ କରି ସରକାରୀ ଦଳରେ ଥାଇ କିପରି ପ୍ରଶ୍ନ କରୁଛନ୍ତି ତଥା କିପରି ସମସ୍ତ ବିକାଶମୂଳକ କାର୍ଯ୍ୟ ଜାରି ରହିବ ସେ ନେଇ ଆଲୋଚନା ହେଉ କହିବାରେ ଟେବୁଲ୍ ବାଡେଇ ସରପଞ୍ଚ ଓ ସମିତି ସଭ୍ୟ ମାନେ ସମର୍ଥନ ଜଣାଇଥିଲେ । ବିଧାନସଭାରେ ଯେପରି ଦୃଶ୍ୟ ଦେଖିବାକୁ ମିଳେ ପ୍ରାୟ ସେମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ବୈଠକରେ ସାଂସଦଙ୍କ ପ୍ରତିନିଧି କେବଳ ଉପସ୍ଥିତ ରହିବେ ଅଥବା ପ୍ରଶ୍ନ କରିପାରିବେ ସେ ନେଇ ନିୟମ ଅଛି ନା ନାଇଁ ସେ ନେଇ ମଧ୍ୟ ବିଧାୟକ ପ୍ରଶ୍ନ ଉଠାଇଥିଲେ । ତତ୍ପରେ “ବିକଶିତ ଗାଁ ଓ ବିକଶିତ ଓଡିଶା” ଯୋଜନାର କାର୍ଯ୍ୟକାରୀ ପାଇଁ ବିଭିନ୍ନ ଆଲୋଚନା ହୋଇଥିଲା । “ଆମ ଓଡ଼ିଶା ନବୀନ ଓଡ଼ିଶା” ଯୋଜନାରେ ବିଭିନ୍ନ ପ୍ରକଳ୍ପ ଅସମ୍ପୂର୍ଣ୍ଣ ଅବସ୍ଥାରେ ଥିବାରୁ ସେଗୁଡ଼ିକୁ କିପରି କାର୍ଯ୍ୟକ୍ଷମ କରି ସମ୍ପୂର୍ଣ୍ଣ କରାଯାଇପାରିବ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା ।

