ନୟାଗଡ଼ ଶ୍ରେୟ ତରଙ୍ଗ, ( ବ୍ୟୁରୋ) :
ବଡପଣ୍ଡୁସର ଗ୍ରାମର ସପନେଶ୍ୱର ଶାନ୍ତଙ୍କ ଧର୍ମପତ୍ନୀ ତଥା
ନାରାୟଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଇଟାମାଟିର ବରିଷ୍ଠ ଶିକ୍ଷୟିତ୍ରୀ, ବିଶିଷ୍ଟ କବୟିତ୍ରୀ ତଥା ସଂଗୀତ ସାଧିକା ସଞ୍ଜୁବାଳା ପରିଡ଼ାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରସ୍ଥିତ ସମ୍ ହସ୍ପିଟାଲରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା । ସୂଚନା ଅନୁଯାୟୀ, ସେ ଦୀର୍ଘ ଦିନ ଧରି ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି (ପାକତନ୍ତ୍ର ଜନିତ) ରୋଗରେ ପୀଡ଼ିତ ଥିଲେ। ଗତ ଡିସେମ୍ବର ମାସରେ ତାଙ୍କର ପ୍ରଥମ ଅସ୍ତ୍ରୋପଚାର ହୋଇଥିଲା। ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସେ ଗତ ତିନିଦିନ ହେବ ଆଇସିୟୁରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ଦୁଇପୁଅ ଶୁଭାଶିଷ ଓ ଶୁଭଜିତ ଉପସ୍ଥିତ ଥିଲେ ।

ସ୍ୱର୍ଗତ ପରିଡ଼ା ଏକାଧାରରେ ଜଣେ କର୍ତ୍ତବ୍ୟନିଷ୍ଠ ଶିକ୍ଷୟିତ୍ରୀ, ପ୍ରତିଭାବାନ କବୟିତ୍ରୀ ଓ ସଂଗୀତ ସାଧିକା ଥିଲେ। ସ୍ଥାନୀୟ ଅଞ୍ଚଳରେ ଜଣେ ମେଳାପୀ, ମିଷ୍ଟଭାଷୀ ଓ ସମାଜସେବୀ ଭାବେ ତାଙ୍କର ବିଶେଷ ସୁନାମ ରହିଥିଲା। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଶିକ୍ଷକ ସମାଜ, ବୁଦ୍ଧିଜୀବୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଗଭୀର ଶୋକର ଛାୟା ଖେଳିଯାଇଛି। ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।


