ଶ୍ରେୟ ତରଙ୍ଗ, ( କ.ନୂଆଗାଁ ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଚାଷ ସମ୍ବନ୍ଧରେ ଚାଷୀ ଓ ସାଧାରଣ ଲୋକଙ୍କୁ ସଶକ୍ତ କରିବା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା କରିବା ଲକ୍ଷରେ ପ୍ରତି ବ୍ଲକରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଆୟୋଜନ କରି ପଶୁ ପାଳନ ଓ ମତ୍ସ୍ୟ ସମ୍ପଦ ଉପରେ ସଚେତନତା ସୃଷ୍ଟି କରାଯାଉଛି। ଏଥିରେ ହିତାଧିକାରୀ ସରକାରଙ୍କ ବିଭିନ୍ନ ଯୋଜନା ଭୁକ୍ତ ହୋଇ ଲାଭ ଉଠେଇବା ପାଇଁ ଆଜି କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ହାଇସ୍କୁଲ ଖେଳ ପଡ଼ିଆ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ବିଭିଓ ଡ ଦିବ୍ୟ ରଞ୍ଜନ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନଗୋବିନ୍ଦ ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ତଥା ସମାଜସେବୀ ପଣ୍ଡିତ କୁମାର ବିଶିମାଝି,ମୂଖ୍ୟ ବକ୍ତା ଭାବେ ବାଲିଗୁଡ଼ା ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡା ଲମ୍ବୋଦର ମହାପାତ୍ର, ବିଏଫଓ ଜ୍ୟୋତି ପ୍ରକାଶ ମିଶ୍ର, ଚକାପାଦ ଏଏଫଓ ଦୀପକ କୁମାର ରେଡି,ଅନ୍ୟତମ ଅତିଥି ଭାବେ କ.ନୂଆଗାଁ ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା,ଜିଲ୍ଲା ପରିଷଦ ସଭ୍ୟା ଅନିତା ମଲ୍ଲିକ,ବ୍ଲକ ଉପାଧ୍ୟକ୍ଷ ଧବଳେଶ୍ୱର ପାତ୍ର,ସମାଜସେବୀ ନିଗମାନନ୍ଦ ପୂଜାରୀ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଚାଷୀ ମାନଙ୍କୁ ସରକାରୀ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ। ଏହା ସହ ଅତିଥି ମାନେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା,ପ୍ରାଣୀ କଲ୍ୟାଣ ବିଭାଗ ଯୋଜନା, ଜାତୀୟ ପ୍ରାଣିଧନ ମିଶନ ଉପରେ ଅବଗତ କରାଇଥିଲେ।

