ଭୁବନେଶ୍ୱର (ଶ୍ରେୟ ତରଙ୍ଗ): ଆଉ ନାହାନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ଦଣ୍ଡା ବାଳୁଙ୍ଗା ଉତ୍ତମ ମହାନ୍ତି। ଚିକିତ୍ସାଧୀନ ସମୟରେ ମେଦାନ୍ତ ହସ୍ପିଟାଲ ରେ ଆଜି ୬୬ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ୧୯୫୮ ମସିହା ଡିସେମ୍ବର ୨୩, ବାରିପଦାରେ ଜନ୍ମଗ୍ରହଣ କରିଥିଲେ ଉତ୍ତମ ମହାନ୍ତି।

୧୯୭୭ ମସିହାରେ ଅଭିମାନ କଥାଚିତ୍ରରୁ ଅଭିନୟ ଯାତ୍ରା ଆରମ୍ଭ କରିଥିଲେ ପରେ ସିନେମା ଛାଡି ମନ ବଳାନ୍ତି ପାଠ ପଢାରେ। ପାଠ ପଢା ସରିବା ପରେ ପୁଣି ପତିପତ୍ନୀ ଚଳଚ୍ଚିତ୍ରରେ ଆସନ୍ତି ପରଦାକୁ। ତାପରେ ଆଉ ପଛକୁ ଫେରି ନାହାନ୍ତି ଉତ୍ତମ । ଗୋଟିଏ ପରେ ଗୋଟିଏ ଚଳଚ୍ଚିତ୍ରରେ ଦେଖାଇଥିଲେ ତାଙ୍କ ଅଭିନୟର ଯାଦୁ। ସେ ପାଖାପାଖି ୧୩୫ ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ର , ୩୦ ଟି ବଙ୍ଗଳା ସିନେମା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିଛନ୍ତି।

ତାଙ୍କ ଅଭିନୀତ ସିନେମା ଗୁଡିକ ମଧ୍ୟରେ ରହିଛି କଳ୍କୀ ଅବତାର, ରୂପା ଗାଁର ସୁନାକନିଆଁ , ପୁଅ ମୋର ଭୋଳାଶଙ୍କର, ଲକ୍ଷ୍ମଣ ରେଖା, ମହମ୍ମଦ ମହସୀନ, ଯଶୋଦା, କପାଳ ଲିଖନ, ଭୀଷ୍ମ ପ୍ରତିଜ୍ଞା, ଏଇ ଆମ ସଂସାର, ପଞ୍ଚୁ ପାଣ୍ଡବ, ପାପପୁଣ୍ୟ, ପୂଜାଫୁଲ, ସତ କେବେ ଲୁଚି ରହେନା, ସମୟ ବଡ଼ ବଳବାନ, ସହରୀ ବାଘ, ଦଣ୍ଡା ବାଳୁଙ୍ଗା, ଝିଅଟି ସୀତା ପରି, ଫୁଲ ଚନ୍ଦନ।

ତାଙ୍କର ନିଖୁଣ ଅଭିନୟ ପାଇଁ ୧୯୮୨ ରେ ତାଙ୍କ ଅଭିନୀତ ଫୁଲ ଚନ୍ଦନ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର, ୧୯୮୩ ରେ ଝିଅଟି ସୀତା ପରି ପାଇଁ ଶ୍ରେଷ୍ଠ ଅଭିନେତା, ୧୯୮୪ ରେ ଦଣ୍ଡା ବାଳୁଙ୍ଗା ପାଇଁ ଶ୍ରେଷ୍ଠ ଅଭିନେତା, ୧୯୯୧ ରେ ତୋ ବିନୁ ଅନ୍ୟ ଗତିନାହିଁ ପାଇଁ ଶ୍ରେଷ୍ଠ ସହ ଅଭିନେତା, ୧୯୯୯ ରେ ଜୟଦେବ ପୁରସ୍କାର ସହ ଶତାଧିକ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ହୋଇଛନ୍ତି।

ଦୀର୍ଘଦିନ ହେବ, ଲିଭର ସିରୋସିସ୍ ରୋଗରେ ପୀଡିତ ଥିଲେ।ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ୮ ତାରିଖରେ ତାଙ୍କୁ ଦିଲ୍ଲୀକୁ ଏୟାର ଲିପ୍ଟ କରାଯାଇଥିଲା। ଚିକିତ୍ସାଧୀନ ସମୟରେ ଆଜି ତାଙ୍କର ମହାପ୍ରଣାୟ ଘଟିଛି । ଓଡ଼ିଆ ସିନେ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ଶ୍ରେୟ ତରଙ୍ଗ ପରିବାର ତରଫରୁ, ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ।

