ଆଜିଠାରୁ ଓଡ଼ିଶାରେ ଆରମ୍ଭ ହୋଇଯାଇଛି ମାଟ୍ରିକ ପରୀକ୍ଷା । ଚଳିତ ବର୍ଷ ପ୍ରଥମ ଦିନ ମାତୃଭାଷା ଥିବା ବେଳେ, ଶାନ୍ତି ଶୃଙ୍ଖଳା ସହ ପ୍ରଥମ ଦିବସ ପରୀକ୍ଷା ସମାପ୍ତ ହୋଇଯାଇଛି । ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲୁ ରହିବ । ରାଜ୍ୟରେ ମୋଟ ୫ ଲକ୍ଷ ୨୨ ହଜାର ୩୩୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ରାଜ୍ୟରେ ମୋଟ ୩୧୩୩ ପରୀକ୍ଷା କେନ୍ଦ୍ର ରେ ଛାତ୍ର ଛାତ୍ରୀ ମାନେ ପରୀକ୍ଷା ଦେଉଛନ୍ତି । ପ୍ରଶ୍ନ ଉତ୍ତର ଖାତା ରଖିବା ପାଇଁ ରାଜ୍ୟରେ ମୋଟ ୩୧୪ ଟି ନୋଡାଲ ସେଣ୍ଟର୍ ରଖାଯାଇଛି । ପ୍ରତି ନୋଡାଲ ସେଣ୍ଟର୍ ଦାୟିତ୍ଵ ରେ ଜଣେ ଜଣେ ପ୍ରଶାସନିକ ଅଧିକାରୀଙ୍କୁ ଦିଆଯାଇଛି । ସେହିଭଳି ରାଜ୍ୟରେ ୬୦୦ ସେଣ୍ଟର୍ ରୁ ଲାଇଭ ଷ୍ଟ୍ରିମିଙ୍ଗ ବ୍ୟବସ୍ଥା କରାଯାଇଥିବା ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ସୂଚନା ମିଳିଛି ।

କନ୍ଧମାଳ ଜିଲ୍ଲା ଭଳି ଦୁର୍ଗମ ଜିଲ୍ଲା ଗୁଡ଼ିକ ରେ, ସୁରକ୍ଷା ଦୃଷ୍ଟିରୁ ଥାନା ପରିସର ରେ ନୋଡାଲ ସେଣ୍ଟର୍ କରାଯାଇଛି । ଚଳିତ ବର୍ଷ କନ୍ଧମାଳ ଜିଲ୍ଲାରେ, ମୋଟ ୬୬ ଟି ପରୀକ୍ଷା କେନ୍ଦ୍ରରେ, ୨୧୪ ଟି ବିଦ୍ୟାଳୟରୁ ୧୦,୩୪୬ ଜଣ ରେଗୁଲାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ସେହିଭଳି ୩୨ ଜଣ ଏକ୍ସ ରେଗୁଲାର, ୧୫୨ ଜଣ ମୁକ୍ତ ବିଶ୍ଵ ବିଦ୍ୟାଳୟ ର ପରୀକ୍ଷାର୍ଥୀଙ୍କ ପାଇଁ ୨ ଗୋଟି ଏବଂ ୧୧୪ ଜଣ ମଧ୍ୟମା ପରୀକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ୩ ଗୋଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ଜିଲ୍ଲାରେ ମୋଟ ୧୬ ଗୋଟି ନୋଡାଲ ସେଣ୍ଟର କରାଯାଇଛି । ୯ ଟି ନୋଡାଲ ସେଣ୍ଟର୍ ବିଭିନ୍ନ ସ୍କୁଲ ରେ କରାଯାଇଛି । ଦୁର୍ଗମ , ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ, ସୁରକ୍ଷା ଦୃଷ୍ଟିରୁ ୭ ଟି ନୋଡାଲ ସେଣ୍ଟର୍ ଥାନା ପରିସର ମଧ୍ୟରେ କରାଯାଇଛି । ପ୍ରତି ନୋଡାଲ ସେଣ୍ଟର୍ ରେ ଜଣେ ଲେଖାଏଁ ପ୍ରଶାସନିକ ଅଧିକାର ଦାୟିତ୍ଵ ରେ ରହିବେ । କନ୍ଧମାଳ ଜିଲ୍ଲାପାଳ ଅମ୍ରିତି ଋତୁରାଜ ବ୍ୟକ୍ତିଗତ ଭାବେ, ସମସ୍ତ ସେଣ୍ଟର୍ କୁ ତଦାରଖ କରିଛନ୍ତି ।

ନୟାଗଡ଼ ଜିଲ୍ଲାରେ ମୋଟ ୭୫ ପରୀକ୍ଷା କେନ୍ଦ୍ରରେ ୧୧, ୪୯୦ ଜଣ ପରୀକ୍ଷାର୍ଥୀ ନିଜର ଭାଗ୍ୟ ପରୀକ୍ଷା ଦେଉଛନ୍ତି । ପ୍ରଥମ ଦିନ ମାତୃଭାଷା ଥିବାରୁ ଛାତ୍ର ଛାତ୍ରୀ ମାନଂକ ମଧ୍ୟରେ ଉତ୍ସାହ ଦେଖା ଦେଇଥିଲା । ଚାରି ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କେବଳ କୁଞ୍ଜ ବିହାରୀ ବିଦ୍ୟାଳୟ କୁ ଛାଡି ଜିଲ୍ଲାର ସମସ୍ତ ୭୪ ଟି ସେଣ୍ଟର୍ ରେ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଛି । ଜିଲ୍ଲାରେ ମୋଟ ୬ ଗୋଟି ନୋଡାଲ ସେଣ୍ଟର ବ୍ୟବସ୍ଥା କରାଯାଇଛି । ପ୍ରତି ନୋଡାଲ ସେଣ୍ଟର୍ ରୁ ସମସ୍ତ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନ ପତ୍ର ଯୋଗାଇ ଦିଆଯିବ । ଜିଲ୍ଲା ସ୍ତରରେ ଦୁଇ ଓ ବ୍ଲକ୍ ସ୍ତରରେ ଚାରି ଗୋଟି ଫ୍ଲାଇଙ୍ଗ ସ୍କ୍ୱାର୍ଡ ବ୍ୟବସ୍ଥା କରାଯାଇଛି ।

ଶାନ୍ତି ଶୃଙ୍ଖଳା ସହ ପ୍ରଥମ ଦିନ ମାତୃଭାଷା ପରୀକ୍ଷା ସରି ଯାଇଛି । ବର୍ଷ ସାରା ପରିଶ୍ରମ କରିଥିବାରୁ, ପରୀକ୍ଷା ସମୟରେ ଅଯଥା ଚାପ୍ ରେ ନ ରହି, ଚିନ୍ତା ମୁକ୍ତ ହୋଇ ପରୀକ୍ଷା ଦେବାପାଇଁ ମୁଖ୍ୟମନ୍ତ୍ରୀ ସବୁ ପରୀକ୍ଷାର୍ଥୀ ଙ୍କୁ ନିବେଦନ କରିଛନ୍ତି । ପରୀକ୍ଷା କେନ୍ଦ୍ର ଗୁଡିକ ରେ ଅଯଥା ଗହଳି ନ କରି, ଶାନ୍ତି ରକ୍ଷା କରିବା ପାଇଁ ନିବେଦନ କରିଥିବା ବେଳେ, ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ବିଶେଷ କରି ଦୁର୍ଗମ ଅଞ୍ଚଳ ଗୁଡିକ ରେ ସଶସ୍ତ୍ର ପୋଲିସ ମୁତୟନ କରାଯାଇଛି । ଚବିଶ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।


