କନ୍ଧମାଳ (ଶ୍ରେୟ ତରଙ୍ଗ): ଗରିବ ଅସହାୟ ମହିଳାଙ୍କୁ ସାହାଯ୍ୟର ହାତ ବଢ଼ାଇ ମାନବିକତା ଦେଖାଇଛନ୍ତି ବିଏସ୍ଏଫ୍ ଯବାନ। ନିଜ ହାତରୁ ଖର୍ଚ୍ଚ କରି ଡାକ୍ତରଖନାରେ ପହଞ୍ଚାଇ ଚିକିତ୍ସା କରାଇଥିଲେ।

ସୂଚନା ଅନୁସାରେ, ଶନିବାର ସକାଳୁ ଫିରିଙ୍ଗିଆ ବ୍ଲକ ସୁମେରବନ୍ଧର ପୁରନ୍ଦର ମଲିକଙ୍କ ସ୍ତ୍ରୀ ବବିତା ଚେତାଶୂନ୍ୟ ହୋଇଯାଇଥିଲେ। ନେଟ୍ୱର୍କ ସମସ୍ୟା ଯୋଗୁଁ ଆମ୍ବୁଲାନ୍ସ ସହ ଯୋଗାଯୋଗ ହୋଇପାରିନଥିଲା। କୌଣସି ଉପାୟ ନପାଇ ସାଡିଙ୍ଗିଆରେ ଥିବା ବିଏସ୍ଏଫ୍ କ୍ୟାମ୍ପ୍ ସହିତ ଯୋଗାଯୋଗ କରିଥିଲେ। ବିଳମ୍ବ ନକରି ବିଏସ୍ଏଫ୍ ଯବାନ ତୁରନ୍ତ କ୍ୟାମ୍ପରେ ଜରୁରି ସେବା ପାଇଁ ବ୍ୟବହୃତ ହେଉଥିବା ଆମ୍ବୁଲାନ୍ସରେ ବବିତାଙ୍କୁ ଫିରିଙ୍ଗିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।

ପରେ ମହିଳାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ଜଣାପଡିଛି। ବିଏସ୍ଏଫ୍ର ଯବାନ କିସାନବୀର ସିଂ, ଶ୍ରୀନିବାସ ରାଜ ଓ ହୀରକ ବରମନ ସହାୟତାର ହାତ ବଢ଼ାଇଥିଲେ। ଯବାନଙ୍କ ସହଯୋଗରୁ ଜଣେ ମହିଳା ମୃତ୍ୟୁ ମୁଖରୁ ବଞ୍ଚିଯାଇଥିବା ଚର୍ଚ୍ଚା ହେଉଛି। ଏଥିପାଇଁ ପରିବାର ସହ ଅଞ୍ଚଳବାସୀ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ନକ୍ସଲ ବିରୋଧୀ ଅଭିଯାନ ପାଇଁ ନିୟୋଜିତ ରହିଥିବା ଯବାନ ମାନେ, ନିଜର ଦାୟିତ୍ବ ତୁଲାଇବା ସହିତ ବିପଦ ସମୟରେ, ଲୋକଙ୍କୁ ସହାୟତାର ହାତ ବଢାଇ ସମସ୍ତଙ୍କ ବିଶ୍ଵାସ ଭାଜନ ହୋଇ ପାରିଛନ୍ତି।

