ତୁମୁଡିବନ୍ଧ,(ଶ୍ରେୟ ତରଙ୍ଗ): ବେଲଘର ଅଂଚଳରେ ସରକାରୀ ବସ ଧକ୍କାରେ ଜଣେ ଅଙ୍ଗନୱାଡି କର୍ମୀ ସ୍ନେହଲତା ମଝିଆସେଠ ଙ୍କ ଜୀବନ ଚାଲି ଯାଇଛି ।ସରକାରୀ ବସ୍ od 12 7027 ଯାହାର ଫିଟନେସ ଓ ପରମିଟ କୁ ନେଇ ଏବେ ଉଠିଛି ପ୍ରଶ୍ନ । ବିନା ଫିଟନେସ ରେ କିଭଳି ଗାଡି ରାସ୍ତା ରେ ଗଡୁଥିଲା ତାହାକୁ ନେଇ ଏବେ ବୁଦ୍ଧିଜୀବୀ ମାନେ ପ୍ରଶ୍ନ କରିଛନ୍ତି।

ମୃତ ଅଙ୍ଗନବାଡି କର୍ମୀଙ୍କ ଶବକୁ ତୁମୁଡିବନ୍ଧ ମୁଖ୍ୟ ରାସ୍ତା ଉପରେ ଥୋଇ, ଟାୟାର ଜାଳି ଶତାଧିକ ଅଙ୍ଗନବାଡି କର୍ମୀ, ଅଂଚଳବାସୀ ରାସ୍ତା କୁ ଅବରୋଧ କରିଥିଲେ । ଉତ୍ୟକ୍ତ ଲୋକେ ଉଭୟ ତୁମୁଡିବନ୍ଧଠାରୁ ମୁନିଗୁଡା ରାସ୍ତା, ତୁମୁଡିବନ୍ଧ ଠାରୁ ଫୁଲବାଣୀ ରାସ୍ତା କୁ ସମ୍ପୂର୍ଣ୍ଣ ବନ୍ଦ କରିଥିଲେ. ପାଖାପାଖି ଦଶ ଘଣ୍ଟା ଧରି ରାସ୍ତା କୁ ଅବରୋଧ କରି ରଖିଥିଲେ. ସ୍ଥାନୀୟ ପ୍ରଶାସନ, ପୋଲିସ ର ଚେଷ୍ଟା ସତ୍ୱେ ରାସ୍ତା ରୋକ ହଟି ନଥିଲା । ଶେଷରେ ବାଲିଗୁଡା ବିଜୁ ଜନତା ଦଳ ସଂଯୋଜକ ଟୁନା ଦାଶ, ବାଲିଗୁଡା ବିଧାୟକ ଚକ୍ରମଣି କଂହର, ବିଜେଡି ସଭାପତି ପ୍ରମୋଦ କୁମାର ସାହୁ ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିବା ପାଇଁ ପହଞ୍ଚିଥିଲେ । ଦୁର୍ଘଟଣା ଗ୍ରସ୍ତ ପରିବାର ଲୋକଙ୍କୁ ସାନ୍ତ୍ୱନା ଦେବା ସହ ନିଜ ହାତରୁ ବିଧାୟକ ଚକ୍ରମଣୀ କଂହର ପଚାଶ ହଜାର , ପ୍ରମୋଦ କୁମାର ସାହୁ ପଚାଶ ହଜାର ଟଙ୍କା ଏବଂ ବ୍ଲକ ପ୍ରଶାସନ କୋଡିଏ ହଜାର ଟଙ୍କା ଦେବା ସହ ସମସ୍ତ ସରକାରୀ ସହାୟତା ଯଥା ଶୀଘ୍ର ଯୋଗାଇଦେବା ପାଇଁ ପ୍ରତିଶୃତି ଦେଇଥିଲେ । ଏହା ପରେ ରାସ୍ତା ରୋକ ହଟିଥିଲା । ଅଙ୍ଗନବାଡି କର୍ମୀଙ୍କ ମୃତ ଶରୀରକୁ ତୁମୁଡ଼ିବନ୍ଧ ସ୍ଵାସ୍ତ୍ୟ କେନ୍ଦ୍ର ରେ ଶବ ବ୍ୟବଛେଦ କରି ନିଜ ଗ୍ରାମ ଉଷାବାଲି କୁ ନେଇଥିଲେ । ସେଠାରେ ତାଙ୍କର ଶବ ସତ୍କାର କରାଯାଇଥିବା ଜଣା ପଡିଛି ।

