ଭୁବନେଶ୍ବର, ( ଶ୍ରେୟ ତରଙ୍ଗ): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ସଂଘର ଦାବି ଗୁରୁବାର ରାତିରେ ପୂରଣ ହୋଇଛି। ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି)ର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଗତ ସୋମବାର ଦିନ ଆକ୍ରମଣ ଘଟଣାରେ ସଂପୃକ୍ତି ଥିବା ଅଭିଯୋଗରେ ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ଗିରଫ ହୋଇଛନ୍ତି । ଓଏଏସ୍ ସଂଘ ତାର ଆନ୍ଦୋଳନ ପ୍ରତ୍ୟାହାର କରିଛି। ଓଏଏସ୍ ସଂଘ ଗତକାଲି ଠାରୁ ଜରୁରୀକାଳୀନ ସେବାରେ କାର୍ଯ୍ୟରତ ଥିବା ବେଳେ ଆସନ୍ତାକାଲି ଠାରୁ ପୂର୍ବଭଳି କାର୍ଯ୍ୟରେ ଯୋଗଦେବେ ବୋଲି କହିଛନ୍ତି। ପୂର୍ବରୁ ଏହି ଘଟଣା ରେ ପାଞ୍ଚ ଜଣ ଗିରଫ ହୋଇଥିଲେ । ଆଜି ଜଗା ପ୍ରଧାନ ଘରୁ ବାହାରି ପ୍ରଥମେ ବିଜେପି କାର୍ଯ୍ୟାଳୟ , ପରେ ଡିସିପି ଅଫିସ ରେ ପହଞ୍ଚି ଆତ୍ମ ସମର୍ପଣ କରିଥିଲେ । ପୋଲିସ ତାଙ୍କୁ ଗିରଫ କରିଛି । ଜାମିନ ନାମଞ୍ଜୁର ହେବାରୁ, ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତ କୁ ପଠେଇ ଦିଆଯାଇଛି । ଭୁବନେଶ୍ୱର ଝାରପଡ଼ା ଜେଲ କୁ ଜଗନ୍ନାଥ ପ୍ରଧାନ ଙ୍କୁ ପଠେଇ ଦିଆଯାଇଛି । ଏହି ଘଟଣା ପରେ ଜଗା ପ୍ରଧାନ କହିଛନ୍ତି, ଦଳର ସ୍ବାର୍ଥ, ଜଗନ୍ନାଥ ମହା ପ୍ରଭୁଙ୍କ ବାହୁଡା଼ ଯାତ୍ରା, ସୁନା ବେଶ ଆଗକୁ ଥିବାରୁ, ଶାନ୍ତି ବଜାୟ ରଖିବା ପାଇଁ ସେ ଆତ୍ମ ସମର୍ପଣ କରୁଛନ୍ତି । ଜଗା ପ୍ରଧାନ ଗିରଫ ପରେ, ତାଙ୍କର ସମର୍ଥକ ମାନେ ରାଜ ରାସ୍ତାରେ ବସି ଆନ୍ଦୋଳନ ଆରମ୍ଭ କରିଛନ୍ତି ।

