ନୂଆଗାଁ (ଶ୍ରେୟ ତରଙ୍ଗ) : ନୟାଗଡ଼ ବନଖଣ୍ଡ ମହିପୁର ବନାଞ୍ଚଳ ଗୁମି ସେକ୍ସନ ଅନ୍ତର୍ଗତ ଜାକେଡ଼ା ପଞ୍ଚାୟତର ୨ ଗ୍ରାମରେ ମଙ୍ଗଳବାର ବାଘ ଆକ୍ରମଣ ରେ ୨ଜଣ ବ୍ୟକ୍ତି ଗୁରୁତର ଆହତ ହୋଇ ନୟାଗଡ଼ ଜିଲ୍ଲା ମୁଖ୍ୟ ହସ୍ପିଟାଲ ରେ ଚିକିତ୍ସା ହେଉଛନ୍ତି । କରଚୁଲି ଏବଂ ସୁଡ଼ୁଙ୍ଗୀ ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ଏପରି ଘଟଣା ଘଟିଛି।

ସୂଚନା ଅନୁସାରେ, କରଚୁଲି ଗ୍ରାମର ପ୍ରମୋଦ ଗୁରୁ ସବୁଦିନ ଭଳି ମଙ୍ଗଳବାର ଜଙ୍ଗଲକୁ ଗାଈ ଚଚାଇବାକୁ ଯାଇଥିଲେ। ଅପରାହ୍ନରେ ଗାଈ ନେଇ ଫେରିବା ବାଟରେ ଗ୍ରାମ ନିକଟରେ ଏକ ବାଘ ତାଙ୍କୁ ଆକ୍ରମଣ କରିଥିଲା। ଗୁରୁତର ଭାବେ ଆହତ ହୋଇଥିବା ପ୍ରମୋଦଙ୍କୁ ପରିବାର ଲୋକ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ସେହିପରି ସୁଡ଼ୁଙ୍ଗି ଗ୍ରାମରେ ରାତି ପ୍ରାୟ ସାଢ଼େ ୮ଟା ସମୟରେ ସାଜୁ ନାୟକ ଘର ଆଗରେ ନିଆଁ ଜାଳି ବସିଥିବା ବେଳେ ତାଙ୍କୁ ଏକ ବାଘ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଆମ୍ବୁଲାନ୍ସରେ ମେଡିକାଲକୁ ନିଆଯାଉଥିବା ସୂଚନା ମିଳିଛି। ଘଟଣା ସମ୍ପର୍କରେ ଗୁମି ଫରେଷ୍ଟର ପବିତ୍ର କୁମାର ପରିଡ଼ାଙ୍କୁ ପଚାରିବାରେ ଆମେ ଖବର ପାଇ ଘଟଣାସ୍ଥଳକୁ ଯାଇ ତଦନ୍ତ ଚଳାଇଛୁ । ପ୍ରାଥମିକ ତଦନ୍ତରୁ ଏହା କଲରାପତାରିଆ ବାଘ ବୋଲି ଅନୁମାନ କରାଯାଉଛି ବୋଲି ସେ କହିଛନ୍ତି ।


