ଶ୍ରେୟ ତରଙ୍ଗ, ହସ..ଟିକିଏ ହସରେ ବଦଳିଯାଏ ସମ୍ପର୍କର ଡୋରି । ପର ଆପଣାର ହୋଇଯାଏ, ଗଢ଼ି ଉଠେ ମଧୁର ସମ୍ପର୍କ । ବିଶ୍ବର ଅନ୍ୟତମ ଆଶ୍ଚର୍ଯ୍ୟ ମଧ୍ୟରେ ହସ ହେଉଛି ଅନ୍ୟତମ । କୋଟିକୋଟି ଜୀବ ଜନ୍ତୁ ଭିତରେ ମଣିଷ ହେଉଛି ଅନ୍ୟତମ । କାରଣ, ମଣିଷକୁ ଛାଡ଼ିଦେଲେ ଅନ୍ୟ ଜନ୍ତୁ ମାନେ କେହି ହସି ପାରାନ୍ତି ନାହିଁ । ନିଜେ ହସି ଅନ୍ୟକୁ ହସାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅକ୍ଟୋବର ମାସର ପ୍ରଥମ ଶୁକ୍ରବାରକୁ ବିଶ୍ବ ହସ ଦିବସ ରୂପେ ପାଳନ କରାଯାଏ ।
ଆଜି ହେଉଛି ବିଶ୍ବ ହସ ଦିବସ । ପ୍ରତିବର୍ଷ ଅକ୍ଟୋବର ମାସର ପ୍ରଥମ ଶୁକ୍ରବାରକୁ ବିଶ୍ବ ହସ ଦିବସ ହିସାବରେ ପାଳନ କରାଯାଏ । ଲୋକଙ୍କୁ ଜୀବନ ବଞ୍ଚିବା ପାଇଁ ହସର ମହତ୍ତ୍ବକୁ ବୁଝିବା ପାଇଁ ଆଜିର ଦିନ ପାଳନ କରାଯାଏ । ହସ… ସମ୍ପର୍କକୁ ଦିଏ ନୂଆ ପରିଚୟ । ବାସ୍ତବରେ ତମାମ ଅଧୁରା ପଣ, ଦୁଃଖ, ଲୁହ, ଶୋକ, ମାନସିକ ଦୁଶ୍ଚିନ୍ତା, ସମସ୍ୟା, ଅଭାବ, ପ୍ରେମ, ଵିଚ୍ଛେଦ, ମୋହ ଆଉ ସ୍ପପ୍ନଭଂଗ ଭିତରେ ମଣିଷ ହସିବାକୁ ଭୁଲି ଯାଉଛି । କିନ୍ତୁ ହସ କାହାକୁ ବା ଭଲ ନ ଲାଗେ ? ଏଭଳି ପରିସ୍ଥିତିରେ ଲୋକଙ୍କ ଜୀବନରୁ ହଜିଯାଇଥିବା ହସକୁ ଫେରାଇ ଆଣିବା ଲକ୍ଷ୍ୟରେ ‘ବିଶ୍ୱ ହସ ଦିବସ’ ପାଳନ କରାଯାଏ ।
କେବେ ଆରମ୍ଭ ହୋଇଥିଲା ବିଶ୍ବ ହସ ଦିବସ:ବିଶ୍ବ ହସ ଦିବସର ଧାରଣା ପ୍ରଥମେ ହାର୍ଭେ ରସ୍ ବଲଙ୍କଠାରୁ ଆସିଥିଲା । 1963 ମସିହାରେ, ମାସାଚୁସେଟ୍ସ କଳାକାର ହାର୍ଭେ ବଲ୍ ଏକ ସ୍ମାଇଲ୍ ଗ୍ରାଫିକ୍ ଚିତ୍ର ପ୍ରସ୍ତୁତ କରିଥିଲେ । ଏହା ପରେ ହାସ୍ୟ ଦିବସ ପାଳନ କରିବା ନେଇ ତାଙ୍କ ମନକୁ ଆସିଥିଲା। ଏହାପରେ ସେ ବିଶ୍ବ ହସ ଦିବସ ପାଳନ କରିବା ନେଇ ପ୍ରସ୍ତାବ ଦେଇଥିଲେ। 1999ରେ, ସେ ଘୋଷଣା କରିଥିଲେ ଯେ, ଅକ୍ଟୋବରର ପ୍ରଥମ ଶୁକ୍ରବାର ବିଶ୍ୱ ହସ ଦିବସ ଭାବରେ ପାଳନ କରାଯିବ । 2001ରେ ହାର୍ଭେଙ୍କ ମୃତ୍ୟୁ ପରେ ହାର୍ଭେ ବଲ୍ ୱାର୍ଲ୍ଡ ସ୍ମାଇଲ୍ ଫାଉଣ୍ଡେସନ୍ ତାଙ୍କ ନାମରେ ନାମିତ ହେଲା । ତାଙ୍କ ସ୍ମୃତିରେ ପ୍ରତିବର୍ଷ ବିଶ୍ୱ ହସ ଦିବସ ପାଳନ କରାଯାଏ ।
ବିଶ୍ବ ହସ ଦିବସର ଉଦ୍ଦେଶ୍ୟ: ବ୍ୟସ୍ତବହୁଳ ଜୀବନ ଭିତରେ ବର୍ଷର ଗୋଟିଏ ଦିନ ଲୋକଙ୍କୁ ହସିବା ପାଇଁ କହିବା ସହିତ ମନୋବଳକୁ ସୁଦୃଢ କରିବା ପାଇଁ ଉତ୍ସାହିତ କରିବା ହସ ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ । କାରଣ ହସିବା ଦ୍ବାରା ଚାପର ପରିମାଣ କମିଯାଇଥାଏ । କଠିନ ପରିସ୍ଥିତିରେ ଛୋଟିଆ ହସ ହିଁ ଅନେକ ଚାପ ହ୍ରାସ କରିବାରେ ସାହାଯ୍ୟ କରିଥାଏ ଏବଂ କଠିନ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଶକ୍ତି ପ୍ରଦାନ କରିଥାଏ । ଏହା ବ୍ୟତୀତ ହସ ମନୁଷ୍ୟର ଚେହେରାର ସୌନ୍ଦର୍ଯ୍ୟକୁ ମଧ୍ୟ ଦ୍ବିଗୁଣିତ କରିବା ସହିତ ପେଟର ଚର୍ବିକୁ ମଧ୍ୟ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ହସିବା କେବଳ ଚାପକୁ ହ୍ରାସ କରେ ନାହିଁ ବରଂ ଜୀବନକାଳକୁ ମଧ୍ୟ ବୃଦ୍ଧି କରିଥାଏ । ତେଣୁ ହସିବା ସମସ୍ତଙ୍କ ପାଇଁ ଲାଭଦାୟକ ଅଟେ

