ଶ୍ରେୟ ତରଙ୍ଗ, କନ୍ଧମାଳ ( କାହ୍ନା ପଟ୍ଟନାୟକ ) :
ଭରା ନଈରେ ଜୀବନ ବାଜି ଲଗେଇ ପାର ହେଉଛନ୍ତି । ବିପଦ ସଙ୍କୁଳ ଅବସ୍ଥାରେ ଜୀବନକୁ ବାଜି ଲଗାଇ ନଦୀର ଦୁଇ ପାର୍ଶ୍ବରେ ଗଛରେ ଦଉଡ଼ି ବାନ୍ଧି ସେହି ଦଉଡ଼ି ଧରି ଭରା ନଈ ପାର ହେଉଛନ୍ତି ଅଞ୍ଚଳବାସି । ବଜାର ସଉଦା, ପିଲାଙ୍କ ସ୍କୁଲ୍ ଯିବା ହେଉ ବା ଡାକ୍ତରଖାନା, ସବୁ କାମ ପାଇଁ ଏହି ରାସ୍ତା ହିଁ ଅଞ୍ଚଳବାସୀଙ୍କ ଭରଷା ପାଲଟିଛି ।

ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ପରମପାଙ୍ଗା ପଞ୍ଚାୟତର ପାଜିମାହା ବୁଢ଼ା ନଦୀ ଘାଟରେ । ପରମପାଙ୍ଗା ପଞ୍ଚାୟତର ତିନି ନଂ ୱାର୍ଡ଼ର ପାଞ୍ଚୋଟି ଗାଁ କାଡ଼ାମାହା, ଟକପଦର, କାମେରି, ଡୁବଲାମାହା । ବାଲିମାହା ରହିଛି ପାଜିମାହା ନିକଟସ୍ଥ ବୁଢ଼ା ନଦୀ ଆର ପାରିରେ ।

ସୂଚନା ଅନୁଯାୟୀ ଏହି ସବୁ ଗାଁରେ ପ୍ରାୟ ପାଞ୍ଚ ଶହରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଥିବା ଜଣାପଡ଼ିଛି । ଶିକ୍ଷା, ସ୍ବାସ୍ଥ୍ୟ ଆଦି ସମସ୍ତ ଜରୁରୀକାଳୀନ ସେବା ପାଇଁ ଅଞ୍ଚଳବାସୀ ପରମପାଙ୍ଗା ପଞ୍ଚାୟତ ଉପରେ ନିର୍ଭର କରନ୍ତି । କିନ୍ତୁ ବର୍ଷା ଦିନେ ପଞ୍ଚାୟତକୁ ଯିବାକୁ ହେଲେ ନଦୀ ପାର ହେଇ ବିପଦ ସଙ୍କୁଳ ଅବସ୍ଥାରେ ଯିବାକୁ ପଡ଼ିଥାଏ ଛାତ୍ରଛାତ୍ରୀ,ମହିଳା,ପୁରୁଷ,ବୃଦ୍ଧ ସମସ୍ତେ ତାର ଓ ଦଉଡ଼ି ସାହାରାରେ ପାର ହୁଅନ୍ତି ବୁଢ଼ା ନଦୀ , ଏହି ସମସ୍ୟା ବିଷୟରେ ପୂର୍ବ ସରକାର ଙ୍କ ସ୍ଥାନୀୟ ଜନ ପ୍ରତିନିଧି ବିଧାୟକ ସାଂସଦ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଅଞ୍ଚଳବାସୀ ଅଭିଯୋଗ କରିଆସୁଥିଲେ ମଧ୍ୟ ଏଯାଏଁ ହୋଇନି ସମସ୍ୟାର ସମାଧାନ ।

ଏଭଳି ସ୍ଥିତିରେ କେତେବେଳେ ଯେ, କିଛି ଅଘଟଣ ନଘଟିବ ତାହା ଏଡ଼ାଇ ଦିଆଯାଇ ନପାରେ । ଯଥାଶୀଘ୍ର ପ୍ରଶାସନ ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି l

