ରଣପୁର (ଶ୍ରେୟ ତରଙ୍ଗ , ଲିସାରଣି ମହାପାତ୍ର) ରଣପୁର ବାଘସାମନ୍ତ ପଡିଆରେ ରଣପୁର ମହୋତ୍ସବ “ଅର୍ଜୁନ”ର ଦ୍ଵିତୀୟ ସନ୍ଧ୍ୟା ରେ ବିଧାନସଭାର ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ ଅଧ୍ଯକ୍ଷତା କରିଥିଲେ । ସମାରୋହ ମୁଖ୍ୟଅତିଥି ଭାବେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼.କୃଷ୍ଣଚନ୍ଦ୍ର ମହାପାତ୍ର,ସମ୍ମାନୀତ ଅତିଥି ଭାବେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ନୟାଗଡ଼ ବିଧାୟକ ଡ଼.ଅରୁଣ କୁମାର ସାହୁ, ନୟାଗଡ଼ ଏସ୍ପି ଏସ୍.ସୁଶ୍ରୀ,ରଣପୁର ବିଡିଓ ସୁଧୀର କୁମାର ନାୟକ ପ୍ରମୁଖ ଯୋଗଦେଇ ସଂସ୍କୃତି, ପରମ୍ପରା, ସହିଦମାନଙ୍କୁ ସ୍ମରଣ କରିବାର ମଞ୍ଚ ହେଉଛି ମହୋତ୍ସବ ମଞ୍ଚ ବୋଲି କହିଥିଲେ । ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଯୋଗଦେଇ ସହିଦ ରଘୁ-ଦିବାକରଙ୍କ ଉପରେ ଚଳଚ୍ଚିତ୍ର ନିର୍ମାଣ କରାଯିବ ବୋଲି କହିଥିଲେ। ଦ୍ୱିତୀୟ ସନ୍ଧ୍ୟାରେ ଖୋର୍ଦ୍ଧା ପାଇକ ଆଖଡା,ସମ୍ବଲପୁରୀ ନୃତ୍ୟ,ପାଲା,ଆସାମ ବିହୁ ନୃତ୍ୟ,ପୁରୁଲିଆ ଛଉନୃତ୍ୟ ସଙ୍ଗୀତ ଦର୍ଶକଙ୍କ ମନମୋହିଥିଲା। ସୂଚନା ଯୋଗ୍ୟ ଯେ,୧୯୩୯ ମସିହା ଜାନୁଆରୀ ୫ ତାରିଖରେ ବେଜେଲଗେଟ ଗୁଳିରେ ଅର୍ଜୁନ ରାଉତ ଶହୀଦ ହୋଇଥିଲେ। ପରେ ଉତ୍ୟକ୍ତ ଲୋକମାନେ ବାଉଁଶ ଠେଙ୍ଗାରେ ବେଜେଲଗେଟକୁ ବାଡେଇ ବାଡେଇ ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡ ପାଇଁ ନିଜକୁ ଉତ୍ସର୍ଗ କରିଥିବା ଅମର ଶହୀଦ ରଘୁଦିବାକରଙ୍କୁ ବିହାରର ଭାଗଲପୁର ଜେଲରେ ଫାଶି ଦିଆଯାଇଥିଲା। ଏହି ଶହୀଦ ମାଟିରେ ବୀର ସଂଗ୍ରାମୀମାନଙ୍କର ସ୍ମୃତିକୁ ଉଦଜୀବିତ ରଖିବା ଲାଗି ରଣପୁରରେ ରଣପୁର ମହୋତ୍ସବ “ଅର୍ଜୁନ” ପାଳନ କରାଯାଇଛି ।

