ଶ୍ରେୟ ତରଙ୍ଗ ( ବ୍ୟୁରୋ ): ଜାତୀୟ ଶିକ୍ଷା ନୀତି -୨୦୨୦ ନୀତି ନିୟମ କୁ ଓଡ଼ିଶାରେ ଲାଗୁ କରିବା ପାଇଁ ରାଜ୍ୟ ସରକାର ବଡ ପଦକ୍ଷେପ ନେବାକୁ ଯାଉଛନ୍ତି। ପ୍ରାଥମିକ ବିଦ୍ୟାଳୟସ୍ତରରେ ଖାଲି ପଡ଼ିଥିବା ଶିକ୍ଷକ, ଶିକ୍ଷୟିତ୍ରୀ ପଦ ପୂରଣ ସହ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବାକୁ ନିଷ୍ପତି ନିଆଯାଇଛି । ୨୦୨୫-୨୬ରୁ ପ୍ରାଥମିକ ବିଦ୍ୟାଳୟ ସହ ଶିଶୁ ବାଟିକା ଯୋଡ଼ି ହୋଇଥିବାରୁ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ବ୍ୟାପକ କରାଯାଉଛି ବୋଲି ସରକାର ସ୍ତରରେ ଆଲୋଚନା ହେଉଛି ।

ତଥ୍ୟ ଅନୁସାରେ, ଏବେ ୪୫ ହଜାର ୨୯୨ ବିଦ୍ୟାଳୟରେ ୧ ଲକ୍ଷ ୯୯ ହଜାର ୬୮୫ ଶିକ୍ଷକଙ୍କ ଆବଶ୍ୟକତା ରହିଛି। ସେଥିମଧ୍ୟରୁ ୩୯ ହଜାର ୩୬୬ ଶିକ୍ଷକ ପଦ ଖାଲି ପଡ଼ିଛି। ଡିସେମ୍ବର ସୁଦ୍ଧା ୫,୦୬୭ ଶିକ୍ଷକ ଆବଶ୍ୟକ ହେବେ । ତେଣୁ ମୋଟ ୪୪ ହଜାର ୪୩୩ ଶିକ୍ଷକ ନିଯୁକ୍ତି କରିବାକୁ ବିଭାଗ ଯୋଜନା ପ୍ରସ୍ତୁତ କରିଛି।
ସେହିପରି ୧୭ ଜିଲ୍ଲାରେ ସୀମିତ ଥିବା ବହୁଭାଷୀ ଶିକ୍ଷାକୁ ରାଜ୍ୟର ସମସ୍ତ ଜିଲ୍ଲାରେ ପହଞ୍ଚାଇବାକୁ ଯୋଜନା ହୋଇଛି। ୨୧ଟି ଆଦିବାସୀ ଭାଷାରେ ଶିକ୍ଷକ ନିଯୁକ୍ତି ପାଇବେ। ମାଧ୍ୟମିକ ଓ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ସହ ଆଲୋଚନା କରି ଓସେପା ଏ ଦିଗରେ ପଦକ୍ଷେପ ଗ୍ରହଣ କରିବ। ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ବହୁଭାଷୀ ଶିକ୍ଷକ ନିଯୁକ୍ତ କରିବାକୁ ନିଷ୍ପତ୍ତି ହୋଇଛି
ଅନ୍ୟପଟେ ଦୁଇ ବର୍ଷରେ ୪,୧୬୦ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇବେ। ୨୦୨୫- ୨୬ ଶିକ୍ଷାବର୍ଷରେ ୧୨୬୪ ଶିକ୍ଷକ ନିଯୁକ୍ତି ହେବାକୁ ଥିବା ବେଳେ ଆସନ୍ତା ଶିକ୍ଷାବର୍ଷରେ ଆଉ ୨୮୯୬ ଶିକ୍ଷକ ନିଯୁକ୍ତି କରାଯିବ ।

