ନୟାଗଡ଼, ଶ୍ରେୟ ତରଙ୍ଗ (ବ୍ୟୁରୋ):
ବଙ୍ଗୋପସାଗରରେ ସୃଷ୍ଟି ହୋଇ ସୁଦୃଢ଼ ହେଉଥିବା ଲଘୁଚାପ କ୍ଷେତ୍ରକୁ ନେଇ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ସମ୍ଭାବ୍ୟ ଗଭୀର ଅବପାତ, ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ୨୩ ଓ ୨୪ ସେପ୍ଟେମ୍ବର ୨୦୨୬, ଦୁଇ ଦିନ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ନୟାଗଡ଼ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟର ଜରୁରୀକାଳୀନ ବିଭାଗ ପକ୍ଷରୁ ଏନେଇ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଜାରି କରାଯାଇଛି।
ଚିଠିରେ ଛାତ୍ରଛାତ୍ରୀ, ଶିଶୁ ଓ କର୍ମଚାରୀଙ୍କ ସୁରକ୍ଷା ଓ ନିରାପତ୍ତାକୁ ସର୍ବାଧିକ ପ୍ରାଥମିକତା ଦେଇ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନେବାକୁ କୁହାଯାଇଛି।

