ଭୁବନେଶ୍ଵର: (ଶ୍ରେୟ ତରଙ୍ଗ): ଏକାମ୍ର କ୍ଷେତ୍ର ଶ୍ରୀ ଲିଙ୍ଗରାଜଙ୍କ ପୀଠରେ ମହାଦୀପ ଉଠିବା ବେଳେ ଅଘଟଣ ଘଟିଯାଇଛି। ମନ୍ଦିର ଉପରକୁ ମହାଦୀପ ନେଇ ଚଢ଼ିବା ବେଳେ ସେବାୟତ ଖସି ପଡ଼ିଛନ୍ତି । ପରେ ଅନ୍ୟ ଜଣେ ସେବାୟତ ମହାଦୀପ ନେଇ ମନ୍ଦିର ଚୂଡ଼ାକୁ ଯାଇଥିଲେ । ବେଢ଼ା ପରିକ୍ରମା ପରେ ସେବାୟତ ମହାଦୀପ ଉଠାଇଛନ୍ତି । ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତି କାନ୍ତି ଶେଷ ପରେ ରାତି ୧୦ଟା ୪୦ରେ ମହାଦୀପ ଉଠିଲା । ଦୀପ ଉଠିବା ବେଳେ ଉପସ୍ଥିତ ଶ୍ରଦ୍ଧାଳୁ ଓ ସେବାୟତଙ୍କ ହର ହର ମହାଦେବ ଧ୍ୱନିରେ କମ୍ପି ଉଠିଥିଲା ମନ୍ଦିର ପରିସର । ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରୀଜୀଉଙ୍କ ଜାଗର ଯାତ୍ରା ଅବସରରେ ୭ ଥର ଲିଙ୍ଗରାଜ ମନ୍ଦିର ବେଢ଼ା ପରିକ୍ରମା ପରେ ମହାଦୀପ ଉଠିଛି । ଶ୍ରୀଲିଙ୍ଗରାଜଙ୍କ ସନ୍ଧ୍ୟା ଆଳତି ଓ ଟେରା ଫିଟା ନୀତି ଶେଷ ହେବା ପରେ ଶ୍ରୀଜିଉଙ୍କ ଯାତ୍ରା ପୂଜା ଓ ବେଢ଼ା ନୀତି ଅନୁଷ୍ଠିତ ହୋଇଥିଲା । ଏହା ପରେ ମହାଦୀପ ଉଠିବା ନେଇ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା ।

