ଶୁଦ୍ଧି କ୍ରିୟାର ୩୭ ବର୍ଷ ପରେ ଗାଁକୁ ଫେରିଲେ ପୁଅ । ଗ୍ରାମବାସୀ ଓ ପରିବାର ଲୋକ ଦେଖି ହତବାକ ହୋଇଯାଇଥିବା ବେଳେ, ବାଜା ବଜେଇ ପ୍ରସେଶନ କରି ଘର କୁ ପାଛୋଟି ନେଇଥିଲେ ଗ୍ରାମବାସୀ । ଏପରିକି ଗ୍ରାମର କୁନି କୁନି ପିଲାମାନେ ମଧ୍ୟ ନାଚ ଗୀତରେ ସାମିଲ ହୋଇଥିଲେ । ଆନନ୍ଦ ଉଲ୍ଲାସରେ ଗାଁ ଫାଟି ପଡ଼ୁଥିବା ବେଳେ, ମା ନାଚି ନାଚି ପୁଅ,ବୋହୂ, ନାତିକୁ ସ୍ବାଗତ କରିଥିଲେ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗ୍ରୀନବାଡି ପଞ୍ଚାୟତ କୁତୁବାଡ଼ି ଗ୍ରାମରେ ।

ସାମେଲ ପ୍ରଧାନଙ୍କ ବାପା, ପ୍ରତିଦିନ ମଦ ପିଇ ତାଙ୍କୁ ମାଡ଼ ମାରୁଥିଲେ । ଏଥିରେ ଅତିଷ୍ଠ ହୋଇ ମାତ୍ର ୧୫ ବର୍ଷ ବୟସରୁ ହିଁ ପୁଅ ଘର ଛାଡ଼ି ପଳାଇଥିଲେ। ପୁଅକୁ ଖୋଜି ଖୋଜି ମା’ ବାପା ଓ ପରିବାର ଲୋକେ ଶେଷରେ ତାଙ୍କର ଶୁଦ୍ଧି କ୍ରିୟା କରିଥିଲେ । ୧୫ ବର୍ଷ ବୟସରେ ଘରୁ ଗୋଡ଼ କାଢିଥିବା ସାମେଲଙ୍କୁ ଏବେ ୫୦ ବର୍ଷ । ୩୭ ବର୍ଷ ପରେ ସାମେଲ ସାଥିରେ ତାଙ୍କର ପୁଅ ଆଉ ସ୍ତ୍ରୀଙ୍କୁ ଆଣି ଗାଁକୁ ଫେରିଛନ୍ତି । ଦୀର୍ଘ ବର୍ଷ ପରେ ସାମେଲ ନିଜ ଗାଁକୁ ଫେରୁଥିବା ଜାଣିବା ପରେ ଗାଁ ଲୋକେ ତାଙ୍କୁ ଦାରିଙ୍ଗବା ବଜାରରୁ ନେଇ କୁତୁବାଡି ଗାଁ ଯାଏଁ ଏକ ଶୋଭାଯାତ୍ରାରେ ସ୍ବାଗତ ଜଣାଇ ପାଛୋଟି ନେଇଥିଲେ। ଏମିତିକି ଗାଁର କୁନି କୁନି ପିଲାଙ୍କ ଠାରୁ ନେଇ ବୟସ୍କ ଯାଏ ସଭିଏଁ ବାଜାର ତାଳେ ତାଳେ ନାଚି କୁଦି ଖୁସି ମନାଇ ଥିଲେ। ପରିବାର ଲୋକେ ଅଞ୍ଚଳବାସୀଙ୍କ ଲାଗି ଭୋଜି ଭାତର ମଧ୍ୟ ଆୟୋଜନ କରିଥିଲେ ।

ସାମେଲ ପ୍ରଧାନଙ୍କ ସାଥିରେ ଆସିଥିବା ତାଙ୍କ ପୁଅ ଆନନ୍ଦ ପ୍ରଧାନ ଓ ପତ୍ନୀ ପୁତୁଲି ପ୍ରଧାନ ମଧ୍ୟ ଗାଁରେ ପହଞ୍ଚିବା ପରେ ଏକ ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା । ମା’ ପାର୍ବତୀ ପ୍ରଧାନ ପରିଣତ ବୟସରେ ପୁଅ ଫେରିଥିବା ଖୁସିରେ ନାଚିବା ସହ ନାତି ଆନନ୍ଦ ପ୍ରଧାନ ଓ ବୋହୁ ପୁତୁଲି ପ୍ରଧାନଙ୍କୁ ଜାବୁଡି ଧରି ଗେଲ କରିଥିଲେ। ସାମେଲ ମଝିଆ ଭାଇ ହୋଇଥିବା ବେଳେ ତାଙ୍କର ବଡ ଭାଇ ଓ ସାନ ଭାଇ ମଧ୍ୟ ତାଙ୍କୁ ଦେଖି ଖୁସିରେ ଆତ୍ମବିଭୋର ହୋଇପଡିଥିଲେ। ନିଜ ପରିବାର ସହ ସାମେଲ ନିଜ ଜନ୍ମ ମାଟିରେ ପହଞ୍ଚିବା ପରେ ଖୁସି ଅନୁଭବ କରିବା ସହ ତାଙ୍କୁ ପୁନଃଜନ୍ମ ମଳିଥିବା ଭଳି ମନେ ହେଉଛି ବୋଲି କହିଛନ୍ତି । ତାଙ୍କର ଗୋଟିଏ ପୁଅ ଆଉ ଦୁଇଟି ଝିଅ ସ୍ତ୍ରୀଙ୍କୁ ନେଇ ସେ ଏବେ ଅରୁଣାଞ୍ଚଳ ପ୍ରଦେଶରେ ରହୁଥିବା କହିଛନ୍ତି ।
ସୂଚନାଯୋଗ୍ୟ, ସାମେଲ ଘର ଛାଡି ଚାଲିଯିବା ପରେ ବିଭିନ୍ନ ସ୍ଥାନରେ ପୁଅକୁ ବହୁ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ପତ୍ତା ମିଳିଲା ନାହିଁ। ଶେଷରେ ମା’ ବାପା ନିରାଶ ହେବା ପରେ ପୁଅର ଶୁଦ୍ଧିକ୍ରିୟା ସମାପନ କରି ଦେଇଥିଲେ । ଏହାରି ଭିତରେ ପୁଅକୁ ଝୁରି ଝୁରି ବାପା ଆରପାରିକୁ ଚାଲି ଯାଇଥିଲେ। ହେଲେ ମା’ ପୁଅର ଫେରିବା ବାଟକୁ ଅନାଇ ବସିଥିଲେ। ଆଉ ଶେଷରେ ସେହି ପୁଅ ଆଜି ଦୀର୍ଘ ୩୭ ବର୍ଷ ପରେ ନିଜ ଜନ୍ମମାଟିକୁ ଫେରିଛନ୍ତି। ହଜିଲା ପୁଅକୁ ପାଇ ମାଆ ଓ ଭାଇ ବନ୍ଧୁ ପରିଜନ ଆଜି ବେଶ ଖୁସି ଅଛନ୍ତି। ତାଙ୍କର ଦୁଇ ଝିଅ ମଧ୍ୟ ଭାଇକୁ ଦେଖିବାକୁ ଧାଇଁ ଆସିଛନ୍ତି। ଏବେ ଗାଁକୁ ଆସି ପୁଣି ଅରୁଣାଚଳ ପ୍ରଦେଶ ଫେରିଯିବେ ବୋଲି ସାମେଲ ପ୍ରଧାନ କହିଛନ୍ତ।

