କନ୍ଧମାଳ (ଶ୍ରେୟ ତରଙ୍ଗ): କନ୍ଧମାଳ ଜିଲ୍ଲାର ବିଭିନ୍ନ ପାହାଡ ପର୍ବତ ରୁ ୨୫ରୁ ଅଧିକ ନଦୀର ଉତ୍ପତ୍ତି ହୋଇଛି। ନଦୀ ଗୁଡ଼ିକ କନ୍ଧମାଳ ଜିଲ୍ଲାରୁ ବାହାରି ପଡୋଶୀ ନୟାଗଡ଼, ବୌଦ୍ଧ, ଗଞ୍ଜାମ କଳାହାଣ୍ଡି, ଗଜପତି ଜିଲ୍ଲାକୁ ବହି ଯାଇଛି । କନ୍ଧମାଳ ଜିଲ୍ଲା ପାହାଡିଆ ଜିଲ୍ଲା ହୋଇଥିବାରୁ, ଜଳ ନଦୀରେ ବହି ଯାଇଛି । ଜିଲ୍ଲାରେ ବୃହତ୍ ଜଳଭଣ୍ଡାର ନଥିବାରୁ, ପଡୋଶୀ ଜିଲ୍ଲାର ସମତଳ ଅଞ୍ଚଳ ରେ ଚାଷ କ୍ଷେତକୁ ସବୁଜିମା କରୁଥିବା ବେଳେ ପ୍ରାୟ କନ୍ଧମାଳ ଜିଲ୍ଲାର ଚାଷୀ ମାନେ ଏହାର ସୁଫଳ ପାଇ ପାରୁ ନାହାନ୍ତି । ଏତେ ସଂଖ୍ୟକ ନଦୀକୁ ଜନ୍ମ ଦେଇଥିବା କନ୍ଧମାଳରେ ପ୍ରତିବର୍ଷ ଗ୍ରୀଷ୍ମ ଋତୁ ଆରମ୍ଭରୁ ଜଳକଷ୍ଟ ର ଭୟାଭହ ଦେଖିବାକୁ ମିଳିଥାଏ ।

କନ୍ଧମାଳ ଜିଲ୍ଲାର ବିଭିନ୍ନ ପାହାଡ ପର୍ବତ ରୁ ଋଷିକୁଲ୍ୟା, ସାଲୁଙ୍କୀ, ଖଡ଼୍ଗ, ବୃତ୍ତଙ୍ଗ, ରାହୁଳ, ବାଘ, ଉତ୍ତେଇ, ଚାଉଳଧୁଆ ଆଦି ପ୍ରମୁଖ ନଦୀ ଏବଂ ସେମାନଙ୍କର ଉପନଦୀ ପିଲାସାଲୁଙ୍କୀ, ଦିଗିଯୋଡ଼ି, କେରାସାଲ, କାକଲବାକି, ସିଙ୍ଗୁଡ଼ାରଙ୍ଗା, ଟିକାପାଟ, ସୁଣ୍ଡିଆଜା, ଗଣ୍ଡୁକି, ପୁଣ୍ଡାଲି, କ୍ରାଇବାଲି, ଦମଦେଇ, କଲରାନାଳ, କୋଡ଼ଙ୍ଗ, ଓଡ଼ିଙ୍ଗି, କରଡ଼ା, ଗଣ୍ଡମୁଣ୍ଡି ଆଦି ଉତ୍ପତ୍ତିଲାଭ କରିଛି। କନ୍ଧମାଳରୁ ଉତ୍ପତ୍ତିଲାଭ କରିଥିବା ନଈଗୁଡ଼ିକ ପଡ଼ୋଶୀ କଳାହାଣ୍ଡି ବୌଦ୍ଧ, ନୟାଗଡ଼ ଏବଂ ଗଞ୍ଜାମ ଜିଲ୍ଲାର ଚାଷଜମିକୁ ଜଳ ଯୋଗାଇ ଥାଆନ୍ତି ।ଗ୍ରୀଷ୍ମଦିନେ କନ୍ଧମାଳ ଭଳି ପାହାଡ଼ିଆ ଅଞ୍ଚଳରେ ଭୂ-ତଳ ଜଳ ଅତିମାତ୍ରାରେ ନିମ୍ନଗାମୀ ହୋଇ ପଡୁଥିବାରୁ ନଦୀ, ନାଳ, କୂଅ, ପୋଖରୀ, ଝରଣା ଶୁଖିଯାଏ। ଋଷିକୂଲ୍ୟା ନଦୀ କନ୍ଧମାଳର ଦାରିଙ୍ଗିବାଡ଼ି ଅଞ୍ଚଳରୁ ବାହାରି ପଡ଼ୋଶୀ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଜଳ ମଗ୍ନ କରିବା ସହ ବଡ ନଦୀର ଆଖ୍ୟା ପାଇଛି ଓ ଶେଷରେ ବଙ୍ଗୋପସାଗର ରେ ଯାଇ ମିଶିଛି । ସାଲୁଙ୍କୀ ନଦୀ ଘୁ.ଉଦୟଗିରି ଅଞ୍ଚଳରୁ ଫୁଲବାଣୀ ହୋଇ ପଡୋଶୀ ବୌଦ୍ଧ ଜିଲ୍ଲାରେ ପ୍ରବାହିତ ହୋଇ ଶେଷରେ ମହାନଦୀ ସହ ମିଶିଛି। ସେହିଭଳି ଅନ୍ୟ ନଦୀ ମାନଙ୍କ ମଧ୍ୟରେ ବୃତ୍ତଙ୍ଗ ନଦୀ ଚକାପାଦ ଅଞ୍ଚଳ ରୁ ବାହାରି , ଦଶପଲ୍ଲା ଅଞ୍ଚଳ ହୋଇ ଗଣିଆ ବ୍ଲକ୍ ର ଛାମୁଣ୍ଡିଆ ଠାରେ ମହାନଦୀ ରେ ମିଶିଛି । ବୃତଙ୍ଗ ଜଳ ଦ୍ୟାମ୍ କରି ନୟାଗଡ଼ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ସହ ଖୋର୍ଦ୍ଧା ଅଞ୍ଚଳ କୁ ଜଳ ଯୋଗାଇ ବାର ଲକ୍ଷ୍ୟ ରଖି ଭାରତ ସରକାର ବୃତ୍ତଙ୍ଗ ଜଳ ଯୋଜନା କରିଥିବା ବେଳେ, ଏହା ଏବେ ସରକାର ଙ୍କ ଅନୁମୋଦନ କୁ ଅପେକ୍ଷା କରିଛି । ଖଡ଼୍ଗ, ରାହୁଳ, ଚାଉଳଧୂଆ, ଉତ୍ତେଇ ନଦୀ କନ୍ଧମାଳରୁ ଉତ୍ପତ୍ତି ଲାଭ କରି କଳାହାଣ୍ଡି ଜିଲ୍ଲାର ଚାଷ ଜମିକୁ ଜଳ ଯୋଗେଇ ଥିବା ବେଳେ, କଳାହାଣ୍ଡି ର ଚାଷୀ ମାନେ ବିଶେଷ ଲାଭ ହେଉଛନ୍ତି । ବାଘ ନଦୀ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଅଞ୍ଚଳ ରୁ ବାହାରି ବୌଦ୍ଧ ଜିଲ୍ଲାର ଚାଷ ଜମିରେ ଜଳସେଚିତ କରୁଛି ଓ ମହାନଦୀ ରେ ମିଶିଛି । ନଦୀମାନଙ୍କର ଉତ୍ପତ୍ତି ସ୍ଥାଲି କନ୍ଧମାଳ ଜିଲ୍ଲା ହୋଇଥିବାରୁ କନ୍ଧମାଳ ଜିଲ୍ଲାର ପାହାଡ଼ିଆ ମାଳଭୂମି ବିଶେଷ ଭାବେ ଉପକୃତ ହୋଇ ନଥାଏ କିନ୍ତୁ ଗ୍ରୀଷ୍ମ ଋତୁ ଆସିବା ପରେ, ନଦୀ ନାଳ ବହୁଳ କନ୍ଧମାଳ ଜିଲ୍ଲାରେ ପ୍ରତିବର୍ଷ ଜଳ ସଂକଟ ଅତି ମାତ୍ରାରେ ଦେଖାଯାଏ । ବୃହତ୍ ଜଳାଶୟ ନଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜଳ ଯୋଗାଣ ଯୋଜନା ମଧ୍ୟ କନ୍ଧମାଳରେ କାର୍ଯ୍ୟକାରୀ ହୋଇପାରୁନି। ଏପରିକି ପାନୀୟ ଯୋଗାଇବାରେ ମଧ୍ୟ ନଦୀ ଗୁଡ଼ିକ ଅସମର୍ଥ ହୋଇପଡିଛି । ଦୀର୍ଘ ବର୍ଷ ଧରି ଜିଲ୍ଲାରେ ପାନୀୟ ମେଗା ପ୍ରୋଜେକ୍ଟ ଆରମ୍ଭ ହୋଇଥିଲେ ମଧ୍ୟ, କେଉଁ ସ୍ଥାନରୁ ପାଣି ଯୋଗାଣ ହେବ, ତାହା ଏ ପର୍ଯ୍ୟନ୍ତ ସ୍ଥିରୀକୃତ ହୋଇ ପରି ନାହିଁ । ପାହାଡି ଅଞ୍ଚଳ ହୋଇଥିବାରୁ, ଭୁ ସ୍ତର ଜଳ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି।

ତେବେ ଏହି ପାହାଡି ନଦୀ ଗୁଡ଼ିକ ଜିଲ୍ଲାରେ ଅନେକ ସମସ୍ୟା ସୃଷ୍ଟି କରୁଛି । ବିଶେଷକରି ଗମନାଗମନ କ୍ଷେତ୍ରରେ ଅନେକ ସ୍ଥାନକୁ ବିଚ୍ଛିନ୍ନାଞ୍ଚଳ କରି ରଖିଛି । ଗ୍ରାମାଞ୍ଚଳ ଗୁଡିକରେ ରାସ୍ତା ନଥିବାରୁ, ବାଧ୍ୟହୋଇ ନଦୀ ନାଳ ଭିତରେ ପଶି ଯିବା ଆସିବା କରୁଛନ୍ତି ଲୋକ ମାନେ । ବର୍ଷା ଦିନଗୁଡିକ ରେ ମୁଣ୍ଡିଆ ରୁ ପାଣି ଆସି ଶୀଘ୍ର ବନ୍ୟା ସୃଷ୍ଟି କରିଥାଏ । ଅନେକ ସ୍ଥାନ ରେ ଲୋକମାନେ ଭାଷୀ ଯିବାର ଘଟଣା ମଧ୍ୟ ନଜର କୁ ଆସୁଛି । ତେଣୁ ଲୋକମାନେ ବାଧ୍ୟ ହୋଇ କାଠପୋଲ ଉପରେ ଭରସା କରି ଯିବା ଆସିବା କରିଥାନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମ ରେ ରାସ୍ତା ଘାଟ ର ସୁବିଧା ହେଲାଣି । ବ୍ରିଜ ,ସେତୁ ନିର୍ମାଣ ହୋଇଛି । କିନ୍ତୁ ଏବେବି ଜିଲ୍ଲା ରେ କାଠ ପୋଲ ଉପରେ ଭରସା କରି ଲୋକମାନେ ଯିବା ଆସିବା କରୁଛନ୍ତି ।

(ପିଲା ଶାଲୁଙ୍କି ନଦୀ ଉପରେ ନିର୍ମିତ କାଠ ପୋଲ )

