ଶ୍ରେୟ ତରଙ୍ଗ କନ୍ଧମାଳ, ( କାହ୍ନା ପଟ୍ଟନାୟକ ) :
ପାରିବାରିକ କଳହକୁ ନେଇ ଘଟିଲା ହତ୍ୟାକାଣ୍ଡ । ସାନ ଭାଇର ଟାଙ୍ଗିଆ ଚୋଟରେ ଚାଲିଗଲା ବଡ଼ ଭାଇଙ୍କ ଜୀବନ । ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସୁଡୁରୁକୁମ୍ଫା ପଞ୍ଚାୟତର ସାର୍କାସର ଗାଁରେ ।

ସୂଚନା ଅନୁସାରେ, ସକାଳ ସମୟରେ ବାପା ଓ ପୁଅ ଘରେ ଶୋଇଥିବା ବେଳେ ଅଭିଯୁକ୍ତ ରବି ମାଝୀ ଟାଙ୍ଗିଆରେ ତାଙ୍କ ବଡ଼ ଭାଇଙ୍କୁ ଆକ୍ରମଣ କରିଥିଲେ । ଏହାପରେ ତାଙ୍କ ପୁତୁରା ଶିବ ମାଝୀଙ୍କ ଉପରେ ମଧ୍ୟ ଟାଙ୍ଗିଆରେ ଆକ୍ରମଣ କରିଥିବା ଜଣାପଡ଼ିଛି ।ଘଟଣାରେ ବଡ଼ ଭାଇଙ୍କ ମୃତ୍ୟୁ ହୋଇଥିବା ବେଳେ ଶିବ ମାଝୀ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି ।

ଘଟଣା ପରେ ସଦର ପୋଲିସ ଅଭିଯୁକ୍ତ ରବି ମାଝୀଙ୍କୁ ଅଟକ ରଖି ପଚରାଉଚରା କରୁଛି । ପାରିବାରିକ କଳହରୁ ଏଭଳି ହତ୍ୟାକାଣ୍ଡ ଘଟିଥିବା ବେଳେ ଘଟଣାର ପ୍ରକୃତ କାରଣ ନେଇ ପୋଲିସ ତଦନ୍ତ ଜାରି ରଖିଛି ।


