ନୟାଗଡ଼ (ଶ୍ରେୟ ତରଙ୍ଗ ବ୍ୟୁରୋ) : ଦୃଢ଼ ମନୋବଳ ଓ ବଞ୍ଚିବାର ଇଚ୍ଛାଶକ୍ତି ଥିଲେ କୌଣସି ବାଧା ମଣିଷକୁ ଅଟକାଇ ପାରେନାହିଁ। ଏହାର ଏକ ଜୀବନ୍ତ ଉଦାହରଣ ପାଲଟିଛନ୍ତି ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ବରସାହି ଗ୍ରାମର ୭୩ ବର୍ଷୀୟ ସୁକଦେବ ନାହାକ।
ଏକ ଦୁର୍ଘଟଣାରେ ତାଙ୍କ ବାମ ଗୋଡ଼ ଭାଙ୍ଗିଯିବା ପରେ ଚିକିତ୍ସା ପାଇଁ ସେ ପ୍ରାୟ ୧୫୦ କିଲୋମିଟର ଦୂର ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲକୁ ଟ୍ରାଇସାଇକେଲରେ ଯାତ୍ରା କରିଥିଲେ। ପ୍ରାୟ ଦୁଇରୁ ତିନି ଦିନ ଧରି ଚାଲିଥିବା ଏହି କଠିନ ଯାତ୍ରାରେ ସେ ରାସ୍ତାରେ ଲୋକଙ୍କ ସହାୟତାରେ ଖାଦ୍ୟ ଖାଇ ଗନ୍ତବ୍ୟସ୍ଥଳରେ ପହଞ୍ଚିଥିଲେ ବୋଲି କହିଛନ୍ତି ।
ସୁକଦେବ କହିଛନ୍ତି, “ମୋ ବାମ ଗୋଡ଼ ଭାଙ୍ଗିଯାଇଛି। ମୋର ଏକମାତ୍ର ପୁଅ ମାନସିକ ଭାବେ ଅସୁସ୍ଥ ଥିବାରୁ ରୋଜଗାର କରିପାରୁନାହିଁ। ୨୦୧୧ ମସିହାରେ ମୋ ପତ୍ନୀଙ୍କ ଦେହାନ୍ତ ହୋଇଥିଲା। ସବୁ ପ୍ରତିକୂଳତା ସତ୍ତ୍ୱେ ଚିକିତ୍ସା କରାଇବା ପାଇଁ ମୁଁ ଦୃଢ଼ ନିଷ୍ପତ୍ତି ନେଇଥିଲି। ମୋର ବିଶ୍ୱାସ ଅଛି, ଚିକିତ୍ସା ପରେ ମୁଁ ପୁଣି ଚାଲିପାରିବି।”
ଘଟଣା ସମ୍ପର୍କରେ ଏମ୍କେସିଜି ମେଡିକାଲ କଲେଜର ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ଡାକ୍ତର ସୁଦୀପା ଦାସ କହିଛନ୍ତି ଯେ, ସୁକଦେବଙ୍କ ସମସ୍ତ ଆବଶ୍ୟକୀୟ ପରୀକ୍ଷା କରାଯିବ ଏବଂ ରୋଗ ନିର୍ଣ୍ଣୟ ପରେ ତାଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦିଆଯିବ।
ସୁକଦେବ ନାହାକଙ୍କ ଏହି ସଂଘର୍ଷମୟ ଯାତ୍ରା କେବଳ ୧୫୦ କିଲୋମିଟରର ଏକ ସଫଳ ନୁହେଁ, ବରଂ ଦୃଢ଼ ସଂକଳ୍ପ, ସାହସ ଓ ଆଶାର ଏକ ଅନନ୍ୟ ଉଦାହରଣ। ତାଙ୍କ କାହାଣୀ ପ୍ରମାଣ କରିଛି ଯେ, ମନୋବଳ ଦୃଢ଼ ଥିଲେ ଜୀବନର ବଡ଼ରୁ ବଡ଼ ପ୍ରତିକୂଳ ପରିସ୍ଥିତିକୁ ମଧ୍ୟ ଜୟ କରାଯାଇପାରେ।

