ଶ୍ରେୟ ତରଙ୍ଗ, କନ୍ଧମାଳ ( କାହ୍ନା ପଟ୍ଟନାୟକ ):
ମାନବିକତା ଦେଖାଇଲେ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦ ଭୂଷଣ । ରାସ୍ତାକଡ଼ରେ ଗୁରୁତର ଅବସ୍ଥାରେ ଆହତ ହୋଇ ପଡ଼ିଥିବା ଜଣେ ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ହସ୍ପିଟାଲ ନେଇ ଭର୍ତ୍ତି କରିଛନ୍ତି କନ୍ଧମାଳ ଜିଲ୍ଲାପାଳ ।

ଜିଲ୍ଲାପାଳଙ୍କ ଏଭଳି ମାନବିକତାକୁ ସବୁଆଡୁ ପ୍ରଶଂସା କରାଯାଉଥିବା ବେଳେ ପରିବାର ଲୋକେ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।ଗୋଛାପଡ଼ା ଅଞ୍ଚଳର ସତ୍ୟ ମୋହନ ହଂସ ବାଇକ୍ରେ ଫୁଲବାଣୀ ଫେରୁଥିବା ସମୟରେ ସର୍ତ୍ତାଗୁଡ଼ା ଗ୍ରାମ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ । ଦୁର୍ଘଟଣା ପରେ ଗୁରୁତର ଅବସ୍ଥାରେ ସେ ରାସ୍ତାକଡ଼ରେ ପଡ଼ି ରହିଥିଲେ ।

ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିଲେ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ । ରାସ୍ତାକଡ଼ରେ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖି ଜିଲ୍ଲାପାଳ ତୁରନ୍ତ ନିଜ ଗାଡ଼ି ଅଟକାଇଥିଲେ । ବିଳମ୍ବ ନକରି ସତ୍ୟ ମୋହନଙ୍କୁ ନିଜ ଗାଡ଼ିରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ନେଇ ଭର୍ତ୍ତି କରିଥିଲେ ।ବର୍ତ୍ତମାନ ସତ୍ୟ ମୋହନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ଜିଲ୍ଲାପାଳଙ୍କ ଏଭଳି ମାନବିକ ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଉଛି । ଅସହାୟ ସମୟରେ ଜଣେ ଦୁର୍ଘଟଣାଗ୍ରସ୍ତଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ପହଞ୍ଚାଇ ଜିଲ୍ଲାପାଳ ମାନବିକତାର ଏକ ଉଦାହରଣ ସୃଷ୍ଟି କରିଛନ୍ତି ।


