ଶ୍ରେୟ ତରଙ୍ଗ, କନ୍ଧମାଳ ( କାହ୍ନା ପଟ୍ଟନାୟକ ):
କନ୍ଧମାଳ ଜିଲ୍ଲା କେ. ନୂଆଗାଁ ଥାନା ଅଞ୍ଚଳରୁ ଏକ ବସ୍ରୁ ୬୩ କିଲୋଗ୍ରାମ ୩୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ବସ୍ର ଡ୍ରାଇଭର, ହେଲପର ଓ କଣ୍ଡକ୍ଟରଙ୍କୁ ଗିରଫ କରାଯାଇଛି ।

ସୂଚନା ଅନୁସାରେ, ସେପ୍ଟେମ୍ବର ୧୫ ତାରିଖ, ଗତ ମଙ୍ଗଳ ବାର ଦିନ ରାତି ପ୍ରାୟ ୧୧ଟା ସମୟ ରେ ରାଜ୍ୟ ରାଜପଥ ନମ୍ବର ୧, କେ. ନୂଆଗାଁ ବ୍ଲକ୍ ସମ୍ମୁଖରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ଏକ ଧଳା ରଙ୍ଗର ବେଲୁନ୍ ବସ୍, OD-02AC-1151, ଭିତରୁ ୬୩ କିଲୋଗ୍ରାମ ୩୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬ ଲକ୍ଷ ୩୦ ହଜାର ଟଙ୍କା ବୋଲି ଦର୍ଶାଯାଇଛି । ଏହା ସହିତ ତିନୋଟି ମୋବାଇଲ୍ ଫୋନ୍—ଗୋଟିଏ ଭିଭୋ, ଗୋଟିଏ ଓପୋ ଏବଂ ଗୋଟିଏ ସାମସଙ୍ଗ ଫୋନ୍ ସହିତ ୬ ହଜାର ୭୦୦ ଟଙ୍କା ନଗଦ ଜବତ କରାଯାଇଛି ।

ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ—ଗଞ୍ଜାମ ଜିଲ୍ଲାର ସୁଦର୍ଶନ ନାଏକ, କନ୍ଧମାଳ ଜିଲ୍ଲାର ବିନୋଦ ମଲ୍ଲିକ ଏବଂ ଗଞ୍ଜାମ ଜିଲ୍ଲାର ହାମିଦ୍ ଖାନ୍। ଏମାନଙ୍କ ମଧ୍ୟରୁ ସୁଦର୍ଶନ ନାଏକ ବସ୍ର ଡ୍ରାଇଭର, ବିନୋଦ ମଲ୍ଲିକ ହେଲପର ଏବଂ ହାମିଦ୍ ଖାନ୍ କଣ୍ଡକ୍ଟର ବୋଲି ସୂଚନା ମିଳିଛି ।
ଏହି ଘଟଣାରେ କେ. ନୂଆଗାଁ ଥାନାରେ ମାମଲା ନମ୍ବର ୧୩୫, ତାରିଖ ୧୫ ସେପ୍ଟେମ୍ବର ୨୦୨୪ରେ NDPS ଆଇନର ଧାରା ୨୦(b)(ii)(C) ଅନୁଯାୟୀ ମାମଲା ରୁଜୁ ହୋଇଥିବା ଦର୍ଶାଯାଇଛି । ମାମଲାର ତଦନ୍ତକାରୀ ଅଧିକାରୀ ହେଉଛନ୍ତି କେଲୁ ଚରଣ ଜେନା, IIC, କେ. ନୂଆଗାଁ ଥାନା । ଏହି ମାମଲାରେ ତିନି ଜଣ ଅଭିଯୁକ୍ତଙ୍କୁ ଆଜି ମାନ୍ୟବର ଅଦାଲତରେ ହାଜର କରାଯାଇଛି । ଗଞ୍ଜେଇ ଚାଲାଣ ଉପରେ ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ଏବେ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

