କନ୍ଧମାଳ ଶ୍ରେୟ ତରଙ୍ଗ ( ବ୍ୟୁରୋ ):
ଦୃଢ଼ ଇଚ୍ଛାଶକ୍ତି ଓ ପରିଶ୍ରମ ଆଗରେ ଆର୍ଥିକ ଅନଟନ ଯେ ବାଧା ହୋଇପାରେ ନାହିଁ, ତାହାର ଉଦାହରଣ ପାଲଟିଛନ୍ତି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅଧୀନ ଶିକାବାଡ଼ି ଗାଁର ତିନି ଛାତ୍ରଛାତ୍ରୀ। ଗୋଟିଏ ପରିବାରର ତିନି ଜଣ ନିଟ୍ ପରୀକ୍ଷାରେ ସଫଳତା ହାସଲ କରିବା ପରେ ସେମାନଙ୍କୁ କନ୍ଧମାଳ ଏସ୍ପି ରାମେନ୍ଦ୍ର ପ୍ରସାଦ ଆଜି ସମ୍ବର୍ଦ୍ଧିତ କରିଛନ୍ତି ।

ନିଟ୍ରେ ସଫଳ ହୋଇଥିବା ତିନି ଜଣ ହେଲେ ଅସାରିଆ ପ୍ରଧାନ, ସୁନାମୀ ପ୍ରଧାନ ଓ ମିନାକ୍ଷୀ ପ୍ରଧାନ। ଅସାରିଆ ଓ ସୁନାମୀଙ୍କ ବାପା ବୁର୍ସି ପ୍ରଧାନ ଏବଂ ମା’ ଅନୁସୟା ପ୍ରଧାନ। ସେହିପରି ମିନାକ୍ଷୀଙ୍କ ବାପା ଜିସାୟା ପ୍ରଧାନ ଓ ମା’ ରଜନୀ ପ୍ରଧାନ।
ଆର୍ଥିକ ଅନଟନ ମଧ୍ୟରେ ଏହି ପରିବାରର ପିଲାମାନେ ଶିକ୍ଷା ଜାରି ରଖିଥିଲେ। ପିଲାଙ୍କ ପାଠପଢ଼ା ପାଇଁ ବାପା ଓ ଦାଦା କେରଳରେ ଶ୍ରମିକ ଭାବେ କାମ କରି ପରିବାରକୁ ସହଯୋଗ କରୁଥିଲେ।

ବିଶେଷ କଥା ହେଉଛି, ନିଟ୍ ପ୍ରସ୍ତୁତି ପାଇଁ ସେମାନେ ମହଙ୍ଗା କୋଚିଂ ଉପରେ ନିର୍ଭର କରିନଥିଲେ। ୟୁଟ୍ୟୁବ୍ ଭଳି ଅନଲାଇନ୍ ପ୍ଲାଟଫର୍ମରେ ମାଗଣାରେ ଉପଲବ୍ଧ କୋଚିଂ ମାଧ୍ୟମରେ ପ୍ରସ୍ତୁତି ନେଇଥିଲେ। ବିଶେଷକରି ଫିଜିକ୍ସ ୱାଲା (PW) ଭଳି ଅନଲାଇନ୍ ଶିକ୍ଷା ପ୍ଲାଟଫର୍ମ ସେମାନଙ୍କ ପ୍ରସ୍ତୁତିରେ ସହାୟକ ହୋଇଥିଲା।

ଆର୍ଥିକ ପ୍ରତିବନ୍ଧକତା ସତ୍ତ୍ୱେ ନିଷ୍ଠା, ଅଧ୍ୟବସାୟ ଓ ଦୃଢ଼ ମନୋବଳ ଦ୍ୱାରା ନିଟ୍ରେ ସଫଳତା ହାସଲ କରିଥିବା ଏହି ତିନି ଭାଇଭଉଣୀଙ୍କ ସଫଳତା ଶିକାବାଡ଼ି, ଦାରିଙ୍ଗବାଡ଼ି ଓ ସମଗ୍ର କନ୍ଧମାଳ ପାଇଁ ଗର୍ବର ବିଷୟ ପାଲଟିଛି।
ସେମାନଙ୍କ ସଫଳତା ଆର୍ଥିକ ଅନଟନ ମଧ୍ୟରେ ପାଠପଢ଼ୁଥିବା ଅନେକ ଛାତ୍ରଛାତ୍ରୀଙ୍କୁ ନିଜ ସ୍ୱପ୍ନ ପୂରଣ ପାଇଁ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଉଛି।


