ଶ୍ରେୟ ତରଙ୍ଗ, ଭୁବନେଶ୍ୱର ,( ବ୍ୟୁରୋ):
ଭୁବନେଶ୍ୱର: ଓଡ଼ିଶାରେ ଲାଗି ରହିଛି ଲଗାଣ ବର୍ଷା। ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ ରାଜ୍ୟର ଅନେକ ଅଞ୍ଚଳରେ ଭାରିରୁ ଅତିଭାରି ବର୍ଷା ଜାରି ରହିଛି। ଏହାକୁ ନଜରରେ ରଖି କିଛି ଜିଲ୍ଲାରେ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରଖାଯାଇଛି।
ତେବେ ବର୍ଷା ପରିସ୍ଥିତିକୁ ଦେଖି ସ୍କୁଲ ଛୁଟି ଆହୁରି ବଢ଼ିବ କି, ସେନେଇ ଏପର୍ଯ୍ୟନ୍ତ ସାରା ରାଜ୍ୟ ପାଇଁ କୌଣସି ନିଶ୍ଚିତ ଘୋଷଣା ହୋଇନାହିଁ। ଛୁଟି ବଢ଼ାଇବା ନେଇ ନିଷ୍ପତ୍ତି ସ୍ଥାନୀୟ ପାଣିପାଗ ପରିସ୍ଥିତି ଓ ସମ୍ପୃକ୍ତ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଉପରେ ନିର୍ଭର କରିବ।
ବର୍ତ୍ତମାନ ଖୋର୍ଦ୍ଧା, ପୁରୀ, ନୟାଗଡ, ଜଗତସିଂହପୁର, ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଭଳି ଜିଲ୍ଲାରେ ପାଣିପାଗ ଜନିତ କାରଣରୁ ସ୍କୁଲ ବନ୍ଦ ରଖିବା ନେଇ ନିର୍ଦ୍ଦେଶ ଦିଆଯାଇଛି। ଏହି ଛୁଟି ମୁଖ୍ୟତଃ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହୋଇଥିବାବେଳେ, ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କୁ ନିଜ ନିଜ ବିଦ୍ୟାଳୟରେ ଉପସ୍ଥିତ ରହିବାକୁ କୁହାଯାଇଛି।
ଆସନ୍ତା ୨୫ ଓ ୨୬ ସେପ୍ଟେମ୍ବରରେ ମଧ୍ୟ ରାଜ୍ୟର କିଛି ଅଞ୍ଚଳରେ ଭାରିରୁ ଅତିଭାରି ବର୍ଷାର ସମ୍ଭାବନା ରହିଛି। ତେଣୁ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ସ୍କୁଲ ଛୁଟି ବଢ଼ିବ ବୋଲି ଗୁଜବକୁ ବିଶ୍ୱାସ ନକରି, ନିଜ ଜିଲ୍ଲା ପ୍ରଶାସନ କିମ୍ବା ବିଦ୍ୟାଳୟ ପକ୍ଷରୁ ଜାରି ହେଉଥିବା ସରକାରୀ ସୂଚନା ଉପରେ ଭରସା କରନ୍ତୁ।


