କନ୍ଧମାଳ: ଶ୍ରେୟ ତରଙ୍ଗ, ( କାହ୍ନା ପଟ୍ଟନାୟକ):
ଲଗାଣ ବର୍ଷା ଓ ଭୂସ୍ଖଳନ ଆଶଙ୍କାକୁ ନେଇ କଳିଙ୍ଗା ଘାଟରେ ଯାତାୟାତ ଉପରେ ରୋକ୍ ଲଗାଇଛି କନ୍ଧମାଳ ଜିଲ୍ଲା ପ୍ରଶାସନ।

ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରୁ ୨୩ ସେପ୍ଟେମ୍ବରରେ ଜାରି ସୂଚନା ଅନୁସାରେ, ୨୩ରୁ ୨୪ ସେପ୍ଟେମ୍ବର ମଧ୍ୟରେ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ଏହାସହ କଳିଙ୍ଗା ଘାଟର ଅନ୍ଧାରିକୋଟ ନିକଟରେ ଥିବା ଗାର୍ଡୱାଲ୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଜଣାପଡ଼ିଛି। ଫଳରେ ଘାଟ ଅଞ୍ଚଳରେ ଭୂସ୍ଖଳନର ଆଶଙ୍କା ରହିଛି।

ସମ୍ଭାବ୍ୟ ଅଘଟଣକୁ ଏଡ଼ାଇବା ପାଇଁ ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ କଳିଙ୍ଗା ଘାଟ ଦେଇ ଯାତାୟାତକୁ ନିଷେଧ କରିଛନ୍ତି କନ୍ଧମାଳ ଜିଲ୍ଲାପାଳ। ଏନେଇ କନ୍ଧମାଳ ଏସ୍ପିଙ୍କୁ ଆବଶ୍ୟକ ପୁଲିସ୍ ବାହିନୀ ମୁତୟନ କରି ଯାତାୟାତ ରୋକିବାକୁ କୁହାଯାଇଛି।
ଏଥିସହ କଳିଙ୍ଗା ଘାଟରେ ଚାଲିଥିବା ନିର୍ମାଣ କାମ ବନ୍ଦ କରିବା ସହ କାର୍ଯ୍ୟସ୍ଥଳରୁ ଶ୍ରମିକମାନଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିବାକୁ ଏନ୍ଏଚ୍ ବିଭାଗର ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ବର୍ଷା ଓ ଭୂସ୍ଖଳନ ଆଶଙ୍କା ଥିବାରୁ କଳିଙ୍ଗା ଘାଟରେ ସତର୍କତାମୂଳକ ପଦକ୍ଷେପ ନେଇଛି କନ୍ଧମାଳ ଜିଲ୍ଲା ପ୍ରଶାସନ।


