କନ୍ଧମାଳ, ( ଶ୍ରେୟ ତରଙ୍ଗ ) : ଫୁଲବାଣୀ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଶାରେ ବିଜେପି ସରକାର ଆସିବା ପରେ, ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗସ୍ତ। ଏନେଇ ଜନସାଧାରଣଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ରହିଛି। ମୁଖ୍ୟମନ୍ତ୍ରୀ ଫୁଲବାଣୀ ସହର ଉପକଣ୍ଠ ତିଲକପଡ଼ା ଠାରେ ନିର୍ମିତ ସରକାରୀ ଭେଷଜ ମହାବିଦ୍ୟାଳୟ ଉଦ୍ଘାଟନ କରିବା ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ।

ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ସକାଳ ୧୦.୪୦ ମି.ରେ ରିଜର୍ଭ ପଡ଼ିଆ ହେଲିପ୍ୟାଡ୍ରେ ଓହ୍ଲାଇ ସିଧା ନବ ନିର୍ମିତ ମେଡିକାଲ କଲେଜ କୁ ଯିବେ । ଉଦ୍ଘାଟନ କରିବା ପରେ ଆନାଟୋମୀ ପରୀକ୍ଷାଗାର, ବ୍ୟବଚ୍ଛେଦ କକ୍ଷ, ଏଏମ୍ଟି ମ୍ୟୁଜିଅମ ପରିଦର୍ଶନ କରିବେ। ତା ପରେ, କଲେଜ ପ୍ରେକ୍ଷାଳୟରେ ଡାକ୍ତର, ନର୍ସ, ଆଶାମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ।

ଏହା ପରେ କରୋନେସନ ପଡ଼ିଆରେ ଜନ ସାଧାରଣଙ୍କୁ ଉଦବୋଧନ ଦେବେ । ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ କନ୍ଧମାଳ ଗସ୍ତରେ ଆସୁଥିବାରୁ, ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବା ସହିତ ନୂତନ ପ୍ରକଳ୍ପର ଶିଳାନ୍ୟାସ କରିବେ। ମୁଖ୍ୟମନ୍ତ୍ରୀ ପ୍ରାୟ ୯୬୮ କୋଟି ଟଙ୍କାର ୪୨ଟି ନୂତନ ପ୍ରକଳ୍ପର ଉଦ୍ଘାଟନ କରିବେ ଓ ୬୫ଟି ନୂତନ ପ୍ରକଳ୍ପର ଶୁଭ ଦେବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଆଖିରେ ରଖି , ଆରକ୍ଷୀ ଅଧୀକ୍ଷକ ହରିଶ ବିସିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

