କନ୍ଧମାଳ ( ଶ୍ରେୟ ତରଙ୍ଗ): କନ୍ଧମାଳରେ ପୁଣି ଦାଦନ ଶ୍ରମିକଙ୍କ ଦୁଃଖ, ଦାଦନ ଶ୍ରମିକ ଙ୍କ ଦୁଃଖ କନ୍ଧମାଳ ଜିଲ୍ଲା ପିଛା ଛାଡୁନି । କେରଳ ଯାଇ ପୁଣି ଜଣେ ଯୁବକଙ୍କ ମୃତୁ ଘଟିଛି । ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧୩ ନମ୍ବର ୱାର୍ଡ଼ କନବାଗେରି ଗ୍ରାମ ପଣସନାଜୁ ସାହିର ରତ୍ନଦୀପ ପ୍ରଧାନ (ଚିଣ୍ଟୁ) ବୟସ ୩୫ , କେରଳ କାମ କରିବାକୁ ଯାଇଥିବା ବେଳେ, ସେଠାରେ ତାଙ୍କର ମୃତୁ ହୋଇଛି । ରତ୍ନଦୀପଙ୍କ ମୃତ୍ୟୁ ଖବର ଶୁଣି ପଣସ ନାଜୁ, କନବାଗେରି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । କିଛିଦିନ ପୂର୍ବରୁ ରତ୍ନଦୀପ ପ୍ରଧାନ କେରଳ ଆଲାପୁଝାକୁ ଯାଇଥିଲେ ଦାଦନ ଖଟିବାକୁ, କାମ ସନ୍ଧାନରେ କେରଳର ତେରେମବାବୁ, କୁରପୁମପଡ଼ି ଭଳି ବିଭିନ୍ନ ସ୍ଥାନ ବୁଲି ଶେଷରେ ମାନସିକ ଚାପରେ ଥିଲେ ରତ୍ନଦୀପ ପ୍ରଧାନ। ଆଲାପୁଝାରେ ମାନସିକ ଚାପ କାରଣରୁ ବାଉଳି ଚାଉଳି ହୋଇ ସେଠାରୁ ଏରନାକୁଲମ ଜିଲ୍ଲାରେ ଥିବା ତାଙ୍କ ସମ୍ପର୍କୀୟ ଭାଇଙ୍କ ଘରକୁ ଆସିବା ବେଳେ ଏରନାକୁଲମ ବସ୍ଷ୍ଟାଣ୍ଡରୁ ସେ କେଉଁ ଆଡ଼େ ଚାଲିଯାଇଥିଲେ । ଗୁରୁବାର ଏର୍ନାକୁଲମ ପୁଲିସ ଦ୍ୱାରା ମୃତକଙ୍କ ଶବ ଜବତ ହେବା ପରେ ମୃତକଙ୍କ ପରିଚୟ ଜାଣିବା ନିମନ୍ତେ ଫୋଟ ସହ ଇସ୍ତାହାର ଦେବା ପରେ ସେଠାରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଦ୍ୱାରା ତାଙ୍କୁ ଚି଼ହ୍ନଟ କରାଯାଇଥିଲା । ମରଶରୀର ମୁଭାଟୁପୁଝା, ଏର୍ନାକୁଲମ ଜିଲ୍ଲାସ୍ଥିତ ସରକାରୀ ଚିକିତ୍ସାଳୟରେ ରଖାଯାଇଛିI ମୃତକଙ୍କ ମରଶରୀର ତାଙ୍କ ଘରକୁ ଆଣିବା ପାଇଁ ମା’ ଓ ଗ୍ରାମବାସୀ ସ୍ଥାନୀୟ ପ୍ରଶାସନକୁ ଗୁହାରୀ କରିଛନ୍ତି

