ଗଣିଆ ( ଶ୍ରେୟ ତରଙ୍ଗ): ଆସନ୍ତା କାଲିଠାରୁ ୨ଦିନଧରି ବନ ବିଭାଗ ତରଫରୁ ସାରାରାଜ୍ୟ ରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହେବ । ଏ ନେଇ ଗଣିଆ ବନବିଭାଗ ତରଫରୁ ପକ୍ଷୀ ଗଣନା ପାଇଁ ବନ ବିଭାଗ କର୍ମଚାରୀ ଓ ସ୍ଥାନୀୟ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଗଣିଆ ବନାଂଚଳ ଅଧିକାରୀ ସୁମନ ମାଝୀଙ୍କ ତତ୍ୱାବଧାନରେ ବନପାଳ ମନୋଜ ପ୍ରଭାକର ସାହୁ, ସନ୍ତୋଷ କୁମାର ପ୍ରଧାନ, ବନରକ୍ଷୀ ଧରଣୀଧର ନାୟକ, ବିପିନ ବେହେରା, ବନଶ୍ରୀ କୁନି ଓଝା, ବୈଷ୍ଣବୀ ନାଏକ ପ୍ରମୁଖ ଗଣିଆ ବ୍ଳକର କରଡ଼ାପଡ଼ା ପଂଚାୟତର ଘାଘରା ଡ୍ୟାମଠାରେ ପକ୍ଷୀ ଗଣନାର ଅଭ୍ୟାସ ସଚେତନତା କାର୍ଯ୍ୟକ୍ରମ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଡ଼କଟାସ୍ଥିତ ପଦ୍ମନାଭ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇ ବନବିଭାଗ ଦ୍ୱାରା କିଭଳି ପକ୍ଷୀ ଗଣନା କାର୍ଯ୍ୟକ୍ରମ କରାଯାଉଛି ଏବଂ ଶୀତ ଦିନେ ଜଳାଶୟ ଗୁଡ଼ିକରେ ବିଦେଶାଗତ ପକ୍ଷୀଗୁଡ଼ିକର ସୁରକ୍ଷା ସଂପର୍କରେ ବନ ବିଭାଗ କର୍ମଚାରୀମାନଙ୍କ ଠାରୁ ବୁଝିଥିଲେ । ଆସନ୍ତା ୧୭ ଓ ୧୮ ଦୁଇ ଦିନ ଧରି ଗଣିଆ ବନାଚଂଳର ବିଭିନ୍ନ ଜଳାଶୟ ଏବଂ ଜଙ୍ଗଲ ଗୁଡ଼ିକରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଜାରି ରହିବ ।

ସେହିପରି ଛାମୁଣ୍ଡିଆ ବନ୍ୟପ୍ରାଣୀ ବନାଂଚଳର ମହାନଦୀ ଅବବାହିକା ଜଳାଶୟ ଓ ଜଙ୍ଗଲ ଗୁଡ଼ିକରେ ବିଭାଗୀୟ କର୍ମଚାରୀମାନେ ପକ୍ଷୀ ଗଣନା କାର୍ଯ୍ୟରେ ନିୟୋଜିତ ରହିବେ ବୋଲି ସୁଚନା ମିଳିଛି ।

