ଭୁବନେଶ୍ୱର (ଶ୍ରେୟ ତରଙ୍ଗ): ଝିଅ ଜନ୍ମ ହେଲେ ମିଳିବ ୧୨ ହଜାର ଟଙ୍କା ।ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଭାବେ କାର୍ଯ୍ୟକାରୀ ହେବ ମମତା ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା । ଏଥିରେ କନ୍ୟା ସନ୍ତାନ ଜନ୍ମ ପାଇଁ ଗର୍ଭବତୀ ମାନଙ୍କୁ ବର୍ଷକୁ ଅଧିକ ୨ ହଜାର ଟଙ୍କା ପ୍ରଦାନ କରାଯିବ ।

ଗର୍ଭବତୀ, ପ୍ରସୂତିଙ୍କ ଉତ୍ତମ ସ୍ଵାସ୍ଥ୍ୟ ତଥା କନ୍ୟା ସନ୍ତାନ ଜନ୍ମକୁ ପ୍ରୋତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଷ୍ପତ୍ତି ନେଇଛନ୍ତି । ପୁତ୍ର ସନ୍ତାନ ଜନ୍ମ ହେଲେ ୧୦ ହଜାର ଟଙ୍କା ପ୍ରଦାନ କରାଯିବ । କନ୍ୟା ସନ୍ତାନ ପାଇଁ ପୂର୍ବରୁ ୧୦ ହଜାର ଟଙ୍କା ଦିଆଯାଉଥିବା ବେଳେ ଏହାକୁ ବର୍ଦ୍ଧିତ କରାଯାଇ ମିଳିତ ଯୋଜନାରେ ୧୨ ହଜାର ଟଙ୍କା ଦିଆଯିବ । ସର୍ବାଧିକ ଦୁଇଟି ସନ୍ତାନ ଜନ୍ମ କ୍ଷେତ୍ରରେ ଏହି ସହାୟତା ଅର୍ଥ ରାଶି ମିଳିବ । ସ୍ଵାସ୍ଥ୍ୟ ସେବା ଯୋଗାଉଥିବା ଅଙ୍ଗନବାଡ଼ି କର୍ମୀମାନଙ୍କୁ ୨୦୦ ଟଙ୍କା ବଦଳରେ ୨୫୦ ଟଙ୍କା, ଏବଂ ଅଙ୍ଗନବାଡ଼ି ସହାୟକ ମାନଙ୍କୁ ୫୦ ଟଙ୍କା ପରିବର୍ତ୍ତେ ୧୫୦ ଟଙ୍କା ପ୍ରୋତ୍ସାହନ ରାଶି ମିଳିବ । ଏହି ଯୋଜନାର କାର୍ୟକାରିତା ପାଇଁ ଆସନ୍ତା ଆର୍ଥିକ ବର୍ଷରେ ପ୍ରାୟ ୫୧୧ କୋଟି ଟଙ୍କା ଖର୍ଚ୍ଚ ହେବା ଏଥିପାଇଁ କେନ୍ଦ୍ର ସରକାର ୧୧୫କୋଟି ୯୭ ଲକ୍ଷ ଟଙ୍କା ପ୍ରଦାନ କରିବେ ଓ ରାଜ୍ୟ ସରକାର ୩୯୫କୋଟି ୭୫ ଲକ୍ଷ ଟଙ୍କା ଯୋଗାଇ ଦେବେ । ଏହା ମାଧ୍ୟମରେ ପ୍ରାୟ ୪ ଲକ୍ଷ ୫୦ ହଜାର ଗର୍ଭବତୀ ଓ ପ୍ରସୂତି ମା ମାନେ ଉପକାର ପାଇ ପାରିବେ ।

