ଶ୍ରେୟ ତରଙ୍ଗ (ବ୍ୟୁରୋ): ଫୁଲବାଣୀ ସରକାରୀ ମେଡିକାଲ କଲେଜ ଓ ତାଳଚେର ପବିତ୍ର ମୋହନ ପ୍ରଧାନ ସରକାରୀ ମେଡିକାଲ କଲେଜକୁ MBBS ପାଇଁ ୧୦୦ ଲେଖାଏଁ ଆସନ ଅନୁମୋଦିତ କରିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର। ୨୦୨୫-୨୬ ଶିକ୍ଷା ବର୍ଷରୁ ପାଠ ପଢ଼ା ଆରମ୍ଭ ହେବ । ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି ଓଡ଼ିଶା ବୋଲି, ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡ଼ିଆ X ରେ ପୋଷ୍ଟ କରିଛନ୍ତି ।

ଓଡ଼ିଶାର ଆଉ ଦୁଇଟି ସରକାରୀ ମେଡିକାଲ କଲେଜ ପାଇଁ ୨୦୦ ଆସନ ଅନୁମୋଦିତ ହୋଇଛି। ଜାତୀୟ ମେଡିକାଲ କମିଶନ୍ ଏହି ମଞ୍ଜୁରୀ ଦେଇଛନ୍ତି । ଫୁଲବାଣୀ ସରକାରୀ ମେଡିକାଲ କଲେଜ ପାଇଁ ୧୦୦ ଟି ସିଟ୍ ଅନୁମୋଦିତ ହୋଇଥିବା ବେଳେ, ତାଳଚେର ସ୍ଥିତ ପବିତ୍ର ମୋହନ ପ୍ରଧାନ ସରକାରୀ ମେଡିକାଲ କଲେଜ ପାଇଁ ମଧ୍ୟ ୧୦୦ ଟି ସିଟ୍ ଅନୁମୋଦିତ ହୋଇଛି। ଜାତୀୟ ମେଡିକାଲ କମିଶନ୍ ଦ୍ଵାରା ଏହି ମଞ୍ଜୁରୀ କୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ସ୍ବାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ ଓଡ଼ିଶା ଆଉ ଏକ ମାଇଲ ଖୁଣ୍ଟ କରି ପାରିଛି। ଗୋଟିଏ ବର୍ଷରେ ୨୦୦ ଅଧିକ ଓଡ଼ିଆ ଛାତ୍ର ଛାତ୍ରୀ ଚଳିତ ଶିକ୍ଷା ବର୍ଷ ଠାରୁ ଡାକ୍ତରୀ ଶିକ୍ଷା ଗ୍ରହଣ କରି ପାରିବେ। ନୂଆ ସରକାର ଦାୟିତ୍ଵ ଗ୍ରହଣ କରିବା ପରଠାରୁ ଓଡ଼ିଶାର ସ୍ବାସ୍ଥ୍ୟ ସେବା ଓ ସ୍ଵାସ୍ଥ୍ୟ ଶିକ୍ଷାରେ ଉନ୍ନତି ପାଇଁ ରାଜ୍ୟ ସରକାର ନିରନ୍ତର ଉଦ୍ୟମ କରି ଚାଲିଛନ୍ତି। ଏହି ମଞ୍ଜୁରୀ ଦ୍ଵାରା ସରକାରଙ୍କ ଉଦ୍ୟମ ସଫଳ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ , ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଂଗ, କଟକ ସାଂସଦ ଭର୍ତୁହରି ମହତାବ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଙ୍କୁ ଭେଟି ଧନ୍ୟବାଦ୍ ଦେବା ସହ, ଦାବି ପତ୍ର ମଧ୍ୟ ପ୍ରଧାନ କରିଛନ୍ତି । କନ୍ଧମାଳ ଜିଲ୍ଲା ଭଳି ଆଦିବାସୀ ବହୁଳ ଦୁର୍ଗମ ଅଞ୍ଚଳର ଲୋକମାନେ ଭଲ ସ୍ଵାସ୍ଥ୍ୟ ସେବା ପାଇ ପାରିବେ । ଏଥିସହ ପଡୋଶୀ ଜିଲ୍ଲାର ଲୋକମାନେ ମଧ୍ୟ ଏହାର ସୁଯୋଗ ପାଇବେ । ତେଣୁ ଦୀର୍ଘ ଦିନର ସ୍ବପ୍ନ ପୂରଣ ହେଉଥିବାରୁ କନ୍ଧମାଳ ବାସି ବହୁତ୍ ଖୁସି ଅଛନ୍ତି ।

