ନୂଆଗାଁ : (ଶ୍ରେୟ ତରଙ୍ଗ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଆଦିବାସୀ ବହୁଳ ଜାକେଡା ଗ୍ରାମ ପଞ୍ଚାୟତର ବଡ଼ଜିରୀ ଓ ତୁକୁଡ଼ା ଗ୍ରାମରେ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ପହଞ୍ଚି ଲୋକମାନଙ୍କ ବିଭିନ୍ନ ସମସ୍ୟା ପଚାରି ବୁଝିଛନ୍ତି ।

ଏଥି ସହିତ ସରକାରଙ୍କ ଆସୁଥିବା ବିଭିନ୍ନ ଜନହିତକର ଯୋଜନା ଇନ୍ଦିରା ଆବାସ ହେଉ କିମ୍ୱା ଭତ୍ତା,ସୁଭଦ୍ରା ଟଙ୍କା ଠିକ୍ ଭାବେ ମିଳୁଛି କି ନାହିଁ ଲୋକମାନଙ୍କୁ ପଚାରି ବୁଝିଥିଲେ । ଗାଁରେ ଦୀର୍ଘ ବର୍ଷ ହେଲା ଗମନାଗମନ ପାଇଁ ରାସ୍ତା ସମସ୍ୟା ସହ ପାନୀୟ ଜଳ, ମୋବାଇଲ ଟାୱାର ସମସ୍ୟା ଥିବା ନେଇ ଲୋକମାନେ ଜିଲ୍ଲାପାଳଙ୍କୁ ଜଣାଇଥିଲେ। ଏହି ସମସ୍ୟାର ସମାଧାନ ତୁରନ୍ତ କରିବାକୁ ବିଡ଼ିଓ ଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ତୁକୁଡା ଅଙ୍ଗନୱାଡ଼ି କେନ୍ଦ୍ର ଓ ଜାକେଡ଼ା ଗ୍ରାମ ପଞ୍ଚାୟତ ହାଇସ୍କୁଲ୍ ପରିଦର୍ଶନ କରିଥିଲେ । ବିଦ୍ୟାଳୟର ପୂର୍ବତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ମିନତୀ କୁମାରୀ ତ୍ରିପାଠୀ ଚିନ୍ତାମଣି ବିଦ୍ୟାପୀଠ ସଂପଡା କୁ ବଦଳି ହୋଇଥିଲେ ସୁଧା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଧର କୁମାର ସାମନ୍ତରାୟ ଙ୍କୁ ବିଦ୍ୟାଳୟର ସମସ୍ତ ଦାୟିତ୍ୱ ହସ୍ତାନ୍ତର କରିନଥିବାରୁ ଦୀର୍ଘ ତିନିମାସ ରୁ ଉର୍ଦ୍ଧ ହେବ ଅଫିସ ଗୃହ ଏବଂ ନୂତନ ସାଇନସ୍ ଲବ୍ରୋଟରି , ଇ ଲାଇବ୍ରେରୀ ଗୃହରେ ତାଲା ଝୁଲୁଥିବା ଯୋଗୁଁ ପିଲାଙ୍କ ପାଠ ପଢା ବ୍ୟାଘାତ ହେଉଅଛି। ଏହି ଘଟଣା ସଂପର୍କରେ ପୂର୍ବରୁ ବହୁବାର ଅଭିଭାବକ ସହିତ ଶିକ୍ଷା କମିଟି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଏହାର କୌଣସି ସମାଧାନ ହୋଇନଥିବା ବେଳେ ଆଜି ସ୍ଥାନୀୟ ଲୋକେ ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ। ପରିଦର୍ଶନ ସମୟରେ ବିଦ୍ୟାଳୟର କିରାଣୀ ରବୀନ୍ଦ୍ର କୁମାର ହୋତା ଏବଂ ହିନ୍ଦୀ ଶିକ୍ଷକ ସ୍ୱାଗତ କୁମାର ସାହୁ ଅନେକ ଥର ଦରଖାସ୍ତ ନଦେଇ ଅନୁପସ୍ଥିତ ଥିବାରୁ ଦରମା ବନ୍ଦ କରିବାକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ସଲ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ। ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ. ଅମୃତ କୁମାର ରାଉଳଙ୍କ ସହ ସମସ୍ତ ବ୍ଲକ୍ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ ।

