କନ୍ଧମାଳ (ବ୍ୟୁରୋ)୬/୨୫. ଫୁଲବାଣୀ ଜିଲ୍ଲାରେ ଭାଇରାଲ ହେଉଛି ମିଛ ସରକାରୀ ଚାକିରୀ ର ବିଜ୍ଞାପନ । ସୂଚନା ଅନୁସାରେ, ଫୁଲବାଣୀ ରେ ନୂତନ ଭାବେ ନିର୍ମାଣ ହେଉଥିବା ମେଡ଼ିକାଲ୍ କଲେଜ୍ ଏବେ ପୂର୍ଣ୍ଣାଙ୍ଗ ରୂପ ନେଉଥିବା ବେଳେ, ଅଳ୍ପ କିଛି କାମ ବାକି ଅଛି ଓ ଖୁବ୍ ଶୀଘ୍ର ଏହା ଉଦ୍ଘାଟନ ହେବ । କିନ୍ତୁ ଏବେଠାରୁ ମେଡ଼ିକାଲ୍ କଲେଜ୍ ର ବିଭିନ୍ନ ବିଭାଗ ରେ ପୋଷ୍ଟିଙ୍ଗ ପାଇଁ ବିଜ୍ଞାପନ ସୋସିଆଲ ମିଡ଼ିଆ ରେ ଘୁରି ବୁଲିଲାଣି । ଏହାକୁ ନେଇ ଏବେ କନ୍ଧମାଳ ଜିଲ୍ଲାର ଯୁବ ଗୋଷ୍ଠୀ ଚିନ୍ତାରେ । ବର୍ତ୍ତମାନ ସୁଦ୍ଧା ମେଡ଼ିକାଲ୍ କଲେଜ୍ ଅଧ୍ୟକ୍ଷ ନିଯୁକ୍ତି ହୋଇଥିବା ବେଳେ, ସେ ଏବେ ଛୁଟିରେ ଅଛନ୍ତି ବୋଲି ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରି ଡ ସନ୍ତୋଷ ପାଢ଼ୀ ସୂଚନା ଦେଇଛନ୍ତି । ତେବେ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ତରଫରୁ କୌଣସି ବିଜ୍ଞାପନ କି ସୂଚନା ଦିଆ ଯାଇ ନଥିବା ସ୍ପଷ୍ଟ କରିଛନ୍ତି କନ୍ଧମାଳ ସିଡିଏମଓ। କନ୍ଧମାଳ ଜିଲ୍ଲା ଭଳି ଏକ ଶାନ୍ତ ସରଳ ଜିଲ୍ଲାରେ କିଏ ଏଭଳି ଅପ ପ୍ରଚାର କରୁଛି ଓ କଣ ତାର ଉଦ୍ଦେଶ୍ୟ, ଜିଲ୍ଲା ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବୀ ମାନେ ନିବେଦନ କରିଛନ୍ତି ।

