ନୂଆଗାଁ (ଶ୍ରେୟ ତରଙ୍ଗ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ସୀଙ୍ଗାରପଲ୍ଲୀ ପଞ୍ଚାୟତ ହାଇସ୍କୁଲ ରେ ଶିକ୍ଷକ ପଦବୀ ପୂରଣ ପାଇଁ ଜିଲ୍ଲାପାଳ ଓ ବିଧାୟକ ଙ୍କୁ ସ୍କୁଲ ପରିଚାଳନା କମିଟି ତରଫରୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ସୂଚନା ଅନୁଯାୟୀ ନୂଆଗାଁ ବ୍ଲକ ର ଆଦିବାସୀ ହରିଜନ ବହୁଳ,ଶିକ୍ଷା କ୍ଷେତ୍ରରେ ଅବହେଳିତ ସିଙ୍ଗାରପଲ୍ଲୀ ପଞ୍ଚାୟତ ରେ ଶିକ୍ଷାର ବିକାଶ ପାଇଁ ପଞ୍ଚାୟତର ବୁଦ୍ଧିଜୀବୀ,ଶିକ୍ଷା ପ୍ରେମୀ ଓ ଜନସାଧାରଣ ଙ୍କ ଉଦ୍ୟମ ଓ ପ୍ରଚେଷ୍ଟା ରେ ୧୯୮୬ ମସିହାରେ ସୀଙ୍ଗାରପଲ୍ଲି ଠାରେ ଗ୍ରାମପଞ୍ଚାୟତ ହାଇସ୍କୁଲ , ସୀଙ୍ଗାରପଲ୍ଲି ନାମରେ ଗଢ଼ି ଉଠିଥିଲା । ଅଞ୍ଚଳ ରେ ଶିକ୍ଷାର ବିକାଶ ପାଇଁ ଗଢ଼ିଉଠିଥିବା ଏହି ମାଧ୍ୟମିକ ବିଦ୍ୟାଳୟ ରେ ଶିକ୍ଷାଦାନ ପାଇଁ ନିଯୁକ୍ତ ୮ ଜଣ ଶିକ୍ଷକ,ଜଣେ କିରାଣୀ,୩ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ସର୍କଲ ଇନ୍ସପେକ୍ଟର ଖୋର୍ଦ୍ଧା ତାଙ୍କ ଚିଠି ନଂ ୧୧୦୩୨,
ତା ୨୭-୦୮-୨୦୨୪ ଏବଂ ଚିଠି
ନଂ -୧୮୩୯୯ ତା ୦୫-୧୨-୨୦୦୯ ରିଖ ରେ ବିଦ୍ୟାଳୟର କର୍ମଚାରୀ ଭାବେ ମଜୁରୀ ପ୍ରଦାନ କରିଥିଲେ। ବିଦ୍ୟାଳୟ ରେ କାର୍ଯ୍ୟରତ ୩ ଜଣ ଶିକ୍ଷକ ଓ କର୍ମଚାରୀଙ୍କ ଅକାଳ ବିୟୋଗ ହେବା ସହ ୫ ଜଣ ଶିକ୍ଷକ କର୍ମଚାରୀ ଅବସର ଗ୍ରହଣ କରିସାରିଛନ୍ତି।ବର୍ତ୍ତମାନ ୩ ଜଣ ଶିକ୍ଷକ ଏବଂ ଏକମାତ୍ର ରାତ୍ର ଜଗୁଆଳି ଙ୍କୁ ନେଇ ବିଦ୍ୟାଳୟ ଟି ଚାଲିଥିବା ବେଳେ ଆଗାମୀ ୨୦୨୫ ଅପ୍ରେଲ ଓ ମେ ମାସରେ ୨ ଜଣ କାର୍ଯ୍ୟରତ ଶିକ୍ଷକ ଅବସର ଗ୍ରହଣ କରିବେ।ଫଳରେ ଆଗାମୀ ୨୦୨୫ ଜୁନ ମାସ ବେଳକୁ ବିଦ୍ୟାଳୟ ରେ ମାତ୍ର ୧ ଜଣ ଶିକ୍ଷକ ଏବଂ ଜଣେ ମାତ୍ର ରାତ୍ର ଜଗୁଆଳ ଚର୍ତୁଥ ଶ୍ରେଣୀ କର୍ମଚାରୀ କାର୍ଯ୍ୟ କରୁଥିବେ। ସରକାରଙ୍କ ୫ ଟି ଯୋଜନା ଅନ୍ତର୍ଗତ ଏବଂ ସମସ୍ତ ଆନୁଷଙ୍ଗିକ ଭିତ୍ତିଭୂମି ସମ୍ପର୍ନ୍ନ ଏହି ବିଦ୍ୟାଳୟଟି ପାଇଁ ଯଦିଓ ୪ ଗୋଟି ଫିଡ଼ିଂ ସ୍କୁଲ ଅଛି,ହେଲେ ଶିକ୍ଷକ ଅଭାବ ହେତୁ ପ୍ରତ୍ୟେକ ବର୍ଷ ନାମଲେଖା ହାର କମୁଥିବା ବେଳେ ଶିକ୍ଷାନୁଷ୍ଠାନ ଟିର ପୂର୍ବ ଗାରିମା କ୍ଷୁର୍ଣ୍ଣ ହେଉଛି,ଯାହାକି ଅଞ୍ଚଳ ବାସି ଙ୍କୁ ଆତଙ୍କିତ ଓ ମର୍ମାହତ କରୁଛି । ଏଥିନେଇ ଶିକ୍ଷା ବିଭାଗ ଓ ଜନପ୍ରତିନିଧି ଙ୍କୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ ,ଦିନକୁ ଦିନ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ସଂଖ୍ୟା ହ୍ରାସ ପାଉଥିବା ବେଳେ,କୌଣସି ନୂତନ ନିଯୁକ୍ତି ଦିଆଯାଉନାହିଁ । ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ଙ୍କୁ କିପରି ଠିକସେ ଶିକ୍ଷାଦାନ କରାଯିବ ସେଥିପ୍ରତି ଶିକ୍ଷା ବିଭାଗୀୟ ଉଚ୍ଚ ଅଧିକାରୀ ମାନେ ଦୃଷ୍ଟି ଦେଉ ନଥିବାର ଅଭିଯୋଗ ହେଉଥିବା ବେଳେ ପଞ୍ଚାୟତର ଏହି ଏକମାତ୍ର ମାଧ୍ୟମିକ ବିଦ୍ୟାଳୟ ଟିର ସ୍ଥାୟୀତ୍ବ କୁ ନେଇ ଜନସାଧାରଣ ଙ୍କ ମନରେ ସନ୍ଦେହ ସୃଷ୍ଟି ହେଉଛି।
ଶିକ୍ଷକ ବିହୀନ ଶିକ୍ଷାନୁଷ୍ଠାନ ଟି କିପରି ଉତ୍କୃଷ୍ଟ ଶିକ୍ଷାଦାନ କରିବାରେ ସମର୍ଥ ହେବ ଏବଂ ଛାତ୍ର ଛାତ୍ରୀ ଙ୍କ ଉଜ୍ଜ୍ବଳ ଭବିଷ୍ୟତ ଗଠନରେ ସହାୟକ ହେବ, ତାହା ଏବେ ସନ୍ଦେହ ଘେରରେ। ଏଣୁ ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷାଦାନ ପାଇଁ , ବିଦ୍ୟାଳୟ ରେ ଖାଲି ପଡିଥିବା ଶିକ୍ଷକ ପଦବୀ ଯଥା- ତାଲିମପ୍ରାପ୍ତ କଳା ଶିକ୍ଷକ,ସଂସ୍କୃତ ଶିକ୍ଷକ,ହିନ୍ଦୀ ଶିକ୍ଷକ,କ୍ରୀଡା ଶିକ୍ଷକ ନିଯୁକ୍ତି ସହିତ କିରାଣୀ ଓ ପିଅନ ପଦବୀ ପୂରଣ ପାଇଁ ପଞ୍ଚାୟତ ବାସୀଙ୍କ ପକ୍ଷରୁ ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟ ଙ୍କ ସମେତ ଅଞ୍ଚଳର ଶିକ୍ଷା ପ୍ରେମୀ ଓ ବୁଦ୍ଧିଜୀବୀ ମାନେ ଏକତ୍ରିତ ହୋଇ ନୟାଗଡ଼ ଠାରେ ଜିଲ୍ଲାପାଳ ଙ୍କୁ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ସହ ସ୍ଥାନୀୟ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।

ଦେଖିବାକୁ ରହିଲା ଏହି ବିଦ୍ୟାଳୟରେ ଅଧ୍ୟୟନ ରତ ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷା ଦାନ ପାଇଁ କେବେ ଆବଶ୍ୟକ ଶିକ୍ଷକ ନିଯୁକ୍ତି ପାଇଛନ୍ତି । ଜିଲ୍ଲା ପ୍ରଶାସନ,ଓ ଶିକ୍ଷା ବିଭାଗ, ଆବଶ୍ୟକ ଶିକ୍ଷା ଗ୍ରହଣ ରୁ ବଞ୍ଚିତ ହୋଇ ଆସୁଥିବା ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷାଦାନ ପାଇଁ କି ପଦକ୍ଷେପ ନେଉଛନ୍ତି ।

