କଣ୍ଟିଲୋ (ଶ୍ରେୟ ତରଙ୍ଗ) ପୌଷ ପୂର୍ଣ୍ଣିମା ଅବସରରେ ଶ୍ରୀଜଗନ୍ନାଥଙ୍କ ଆଦିପୀଠ ନୟାଗଡ଼ ଜିଲା କଣ୍ଟିଲୋ ନୀଳମାଧବଙ୍କର ଆଜି ସୁନାବେଶ ଅନୁଷ୍ଠିତ ହୋଇ ଯାଇଛି । ଶ୍ରୀଜୀଉଙ୍କ ପହଡ଼ ଭଙ୍ଗ ଓ ମଙ୍ଗଳ ଆଳତି ପରେ ମଇଲମ, ତଡପ ଲାଗି ଓ ଅବକାଶ କରାଯାଇଥିଲା । ଏହାପରେ ରୋଷ ହୋମ, ସୂର୍ଯ୍ୟ ପୂଜା, ଦ୍ବାରପାଳ ପୂଜା, ବଲ୍ଲଭ, ସକାଳ ଧୂପ, ମଧ୍ୟାହ୍ନ ପୂଜା ଧୂପ ଓ ହୋମ ପୂର୍ବ ନିର୍ଘଣ୍ଟ ବିଧିବିଧାନ କ୍ରମେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଜୀଉଙ୍କୁ ସୁନାଗହଣା ପିନ୍ଧାଯାଇ ସୁନ୍ଦର ଭାବେ ସଜ୍ଜିତ କରାଯାଇଛି ।

ଏହି ଅବସରରେ ନୀଳମାଧଵଙ୍କୁ ସୁବର୍ଣ୍ଣ କିରଟି,ସ୍ବର୍ଣ୍ଣ ଶ୍ରୀପୟର,ଚିତା, କିଆଠିଆ, ମୁଖମଣ୍ଡଳ, ଆଭା, କର୍ଣ୍ଣକାପ, କୁଣ୍ଡଳ, ବକ୍ଷ,କବଚ, କଣ୍ଠିମାଳି, ସେବତୀ, ହରିଡ଼ା, ଅଁଳା ମାଳି, କମରପଟି, ଶ୍ରୀଭୁଜ, ଶଙ୍ଖ ସହିତ ସୁବର୍ଣ୍ଣ ସୁଦର୍ଶନ ଚକ୍ର ଧାରଣ କରିଛନ୍ତି | ଶ୍ରୀ ଜୀଉଙ୍କର ସୁନାବେଶ ଉତ୍ସବ ନିମନ୍ତେ ଦେବୋତର ବିଭାଗ ତଥା ମନ୍ଦିର କତ୍ତୃପକ୍ଷଙ୍କ ପକ୍ଷରୁ ସ୍ବତନ୍ତ୍ର ପୂଜାର୍ଚ୍ଚନାର ବ୍ୟବସ୍ଥା କରାଯାଇଥିଲା । ସୂଚନା ଯୋଗ୍ୟ ଯେ, କଡ଼ା ସୁରକ୍ଷା ଭିତରେ ଶ୍ରୀ ଜୀଉଙ୍କର ସୁନା ଓ ରୂପା ଅଳଙ୍କାର ଗୁଡିକ ଖଣ୍ଡପଡା ସବ୍-ଟ୍ରେଜେରୀ ରୁ ଅଣାଯାଇ ମହାପ୍ରଭୁ ଶ୍ରୀ ଆଭୂଷଣ କରାଯାଇଥିଲା । ବର୍ଷକରେ ଥରେ ପୁଷ ପୂର୍ଣ୍ଣିମା ରେ ପ୍ରଭୁ ସୁନାବେଶରେ ସଜ୍ଜିତ ହୋଇ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥାନ୍ତି ।

