କନ୍ଧମାଳ, ( ଶ୍ରେୟ ତରଙ୍ଗ ): ଭାରତ ଦର୍ଶନ ଶିକ୍ଷାତ୍ମକ ଭ୍ରମଣର ଅଂଶ ଭାବେ ୯ ଜଣ ପ୍ରୋବେସନାରୀ ଆଇଏଏସ୍ ଅଧିକାରୀ ଶୁକ୍ରବାର ସକାଳେ ସିଭିଲ ସର୍ଭିସେସ୍ କୋଚିଙ୍ଗ ସେଣ୍ଟର, କନ୍ଧମାଳ ପରିଦର୍ଶନ କରିଥିଲେ। ପରିଦର୍ଶନର ଆରମ୍ଭରେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଶ୍ରୀ ଗଦାଧର ପାତ୍ର ଅଧିକାରୀମାନଙ୍କୁ ଗଭୀର ସ୍ୱାଗତ, ପରିଚୟ ସହ ଆଇ ଟି ଡି ଏ ର ସଫଳ ରୂପାୟନ କୋଚିଙ୍ଗ ସେଣ୍ଟର୍ ର ୨ ଟି ବ୍ୟଚର ସଫଳତା ଓ ଆଗାମୀ କାର୍ଯ୍ୟ ପ୍ରଣାଳୀ ବିଷୟରେ ଜଣାଇଥିଲେ।

କୋଚିଙ୍ଗ ସୂପରିଣ୍ଡେଣ୍ଟ୍ ଦାୟିତ୍ୱରେ ଥିବା ଶ୍ରୀ ଶିବ ସୁନ୍ଦର ସାହୁ କୋଚିଙ୍ଗ ସେଣ୍ଟରର କାର୍ଯ୍ୟପ୍ରଣାଳୀ, ପଢ଼ାଶୁଣା ପ୍ରକ୍ରିୟା, ଆବଶ୍ୟକ ସୁବିଧା ଓ ଛାତ୍ରଛାତ୍ରୀଙ୍କ ପାଇଁ ଚାଲୁଥିବା ଉଦ୍ୟମ ସମ୍ପର୍କରେ କହିଥିଲେ। ପ୍ରାୟ ଘଣ୍ଟା ୧.୩୦ ମିନିଟ୍ ଧରି ପ୍ରୋବେସନାରୀ ଆଇଏଏସ୍ ଅଧିକାରୀମାନେ ଛାତ୍ରଛାତ୍ରୀଙ୍କ ସହ ବିଶେଷ ଆଲୋଚନା କରି, ପ୍ରଶାସନିକ ଅଧିକାରୀ ପରୀକ୍ଷା ନିମିନ୍ତ ବିଭିନ୍ନ ଅଭ୍ୟାସ ପ୍ରଣାଳୀ, ବିଭିନ୍ନ ଚୟନ ବିଷୟ ବାଛିବା ପଦ୍ଧତି, ଏବଂ UPSC ପରୀକ୍ଷା ସମ୍ପର୍କିତ ଅନେକ ପ୍ରଶ୍ନର ସହଜ ଓ ପ୍ରାୟୋଗିକ ଉତ୍ତର ଦେଇଥିଲେ। ଛାତ୍ରଛାତ୍ରୀଙ୍କ ଉତ୍ସାହ ପ୍ରତି ଅଧିକାରୀମାନେ ସନ୍ତୋଷ ପ୍ରକାଶ କରି, ଜିଲ୍ଲା ପ୍ରଶାସନର ଏହି ଅଭିନବ ପ୍ରୟାସ ପ୍ରତି ଭୂରି ଭୂରି ପ୍ରଶଂସା କରିଥିଲେ। ଡି.ଆର.ଡି.ଏ କନ୍ଧମାଳ, ଶ୍ରୀ ଦୁଃଶାସନ ସିଂ ସମସ୍ତ ଅଧିକାରୀଙ୍କୁ ଜିଲ୍ଲାର ବିଭିନ୍ନ ସ୍ଥାନ, ଯୋଜନା ଓ ସଫଳ ପ୍ରକଳ୍ପ ସ୍ଥଳୀର ପରିଦର୍ଶନ କରାଇଥିଲେ। ପ୍ରଶିକ୍ଷୁ ଆଇଏଏସ୍ ଅଧିକାରୀମାନଙ୍କ ଏହି ପରିଦର୍ଶନ ଯୁବ ପ୍ରସ୍ତୁତିରେ ନୂଆ ପ୍ରେରଣା ଓ ଉତ୍ସାହ ଆଣିଛି ବୋଲି ମନ୍ତବ୍ୟ ହୋଇଛି।

